ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ଗୁରୁବାର ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟର ଶ୍ରମଜୀବୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
“ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ରାଜ୍ୟର ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ବିକଶିତ ରାଷ୍ଟ୍ର ଓ ବିକଶିତ ଓଡ଼ିଶା ଗଠନ କ୍ଷେତ୍ରରେ ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାର ଶ୍ରମିକଙ୍କ ସାମାଜିକ କଲ୍ୟାଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା ଯତ୍ନବାନ ହୋଇ କାର୍ଯ୍ୟ କରିଆସୁଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ଏବେ ସୁଦ୍ଧା ପ୍ରାୟ ୪୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ବିଭିନ୍ନ ସହାୟତା ବାବଦରେ ୩,୯୫୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ଦିଆଯାଇଛି। ସେହିପରି ରାଜ୍ୟର ୪ ଲକ୍ଷରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ଅଣସଂଗଠିତ ଶ୍ରମିକଙ୍କୁ ୨୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି ସାରା ରାଜ୍ୟରେ ଏକକାଳୀନ ପ୍ରାୟ ୩ ହଜାର ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ନୂତନ ଭାବେ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ସହାୟତା ବାବଦରେ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି।”
ସେ ଆହୁରି କହିଛନ୍ତି, “ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକରେ ହାରାହାରି ୧୦୦ ଟଙ୍କାର ବୃଦ୍ଧି କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥି ସହିତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଷ୍ଟେଟ୍ ଆକ୍ସନ୍ ପ୍ଲାନ୍ ମଧ୍ୟ ତିଆରି କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବିଭିନ୍ନ ସେବାକୁ ଶ୍ରମିକମାନଙ୍କ ସୁବିଧା ପାଇଁ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍’ର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଶ୍ରମିକମାନେ ସହଜରେ ଏବଂ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ। ଏହାସହ ଭୁବନେଶ୍ୱରର ଡୁମ୍ଡୁମା ଏବଂ କଳ୍ପନା ଛକଠାରେ ଦୁଇଟି ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦଘାଟିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଏକାଧିକ ଶ୍ରମିକଙ୍କ ପରିବାରବର୍ଗଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରାଶି ପ୍ରଦାନ କରିଥିଲେ।
“ଶ୍ରମିକମାନେ ହେଉଛନ୍ତି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ। ସ୍ୱାଧୀନତା ପରେ ଆମ ରାଜ୍ୟରେ ଯାହା ବି ବିକାଶ ହୋଇଛି, ସବୁର ମୂଳ ଆଧାର ହେଉଛନ୍ତି ଆମ ଶ୍ରମିକ। ସେମାନଙ୍କ କଠିନ ପରିଶ୍ରମ ବଳରେ ଆଜି ଓଡ଼ିଶା ଏହି ସ୍ଥାନରେ ପହଞ୍ଚିଛି”, କହିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଏବଂ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
Tags: #InternationalLabourDay #CMMohanCharanMajhi #LabourRights #Bhubaneswar

















