ଓଡ଼ିଶାଲାଇଭ୍ ବ୍ୟୁରୋ

କଥାକାର ବିଭୂତି ପଟ୍ଟନାୟକ ସେତେବେଳକୁ ଜଗତସିଂହପୁରର ଶ୍ରୀକୃଷ୍ଣ ଏକାଡେମୀରେ ଦଶମ ଶ୍ରେଣୀରେ ପଢ଼ୁଥାନ୍ତି। ଏତେ କମ୍ ବୟସରୁ ସେ ଗଳ୍ପ କବିତା ଲେଖିବାରେ ଧୁରନ୍ଧର। ଦିନେ ଜଗତସିଂହପୁରର ଏକ ବହି ଦୋକାନରେ କଟକର ଜଣେ ପ୍ରକାଶକ ଶୁକଦେବ ସାହୁଙ୍କ ସହ ତାଙ୍କର ଭେଟ ହୁଏ।

ଶୁକଦେବ ତାଙ୍କୁ କହିଲେ “ଗପ କବିତା କଥା ଛାଡ଼। ତମେ ଉପନ୍ୟାସ ଲେଖି ପାରିବ? ବିଶେଷକରି ରହସ୍ୟ ଉପନ୍ୟାସ?”

କିଶୋର ବିଭୂତି ପଟ୍ଟନାୟକଙ୍କର ମନେ ପଡ଼ିଲା ସ୍କୁଲର ଡ୍ରିଲ୍ ମାଷ୍ଟ୍ର ଅନାଥବନ୍ଧୁ ଦାସଙ୍କ କଥା। ଡ୍ରିଲ୍ ମାଷ୍ଟ୍ରେ ଥିଲେ ବଡ଼ ଉପନ୍ୟାସ ପ୍ରେମୀ। ସେ ଦିନେ ଦିନେ ପିଲାଙ୍କୁ ରହସ୍ୟ ଉପନ୍ୟାସର କାହାଣୀ କହି ଚମକାଇ ଦେଉଥିଲେ।

ଏହାପରେ କିଶୋର ବିଭୂତି ପଟ୍ଟନାୟକ ତାଙ୍କ କଞ୍ଚାହାତରେ ଲେଖିଲେ ଜୀବନର ପ୍ରଥମ ଉପନ୍ୟାସ – ‘ସର୍ବହରାର ଅଟ୍ଟହାସ୍ୟ’। କିନ୍ତୁ ଏ କଥା ସେ କାହାକୁ ଜଣାଇନଥିଲେ। ପ୍ରକାଶକଙ୍କ ପାଖକୁ ପାଣ୍ଡୁଲିପି ପଠାଇ ଦେଇ ଅପେକ୍ଷା କରି ରହିଲେ। ଏ ଭିତରେ ଅନେକ ଦିନ ବିତିଗଲା। ବିଭୂତି ପଟ୍ଟନାୟକ କଟକର ଖ୍ରୀଷ୍ଟ କଲେଜରେ ପାଠ ପଢ଼ିଲା ବେଳେ ଦିନେ ଯାଇ ସେ ପ୍ରକାଶକଙ୍କ ପାଖରେ ପହଞ୍ଚିଲେ।

ସୌଭାଗ୍ୟର କଥା ତା’ର କିଛି ଦିନ ଭିତରେ ସେ ରହସ୍ୟ ଉପନ୍ୟାସଟି ପ୍ରକାଶିତ ହୋଇଥିଲା। ସେଦିନ ଶୁକଦେବ ବାବୁ ବିଭୂତି ପଟ୍ଟନାୟକଙ୍କ ହାତରେ ବହିର କପ୍ଲିମେଣ୍ଟାରି କପି ସହିତ ରୟାଲିଟି ବାବଦରେ ୪୦ ଟଙ୍କା ଧରାଇ ଦେଇଥିଲେ। ଆଉ ଲେଖକଙ୍କୁ ବଡ଼ ବଡ଼ ରସଗୋଲା ଖୁଆଇଥିଲେ।

Tags: #BibhutiPatnaik #FirstNovel #Odialiterature

Comment