ଓଡ଼ିଶାଲାଇଭ୍ ବ୍ୟୁରୋ
ସେତେବେଳେ ପୁରୀ ଜିଲ୍ଲାସ୍କୁଲରେ ପଢ଼ୁଥାନ୍ତି ପଣ୍ଡିତ ନୀଳକଣ୍ଠ ଦାସ। ରହୁଥାନ୍ତି ବୈଦିକ ବ୍ରାହ୍ମଣ ମେସରେ। ସେତେବେଳେ ବ୍ରାହ୍ମଣ ଏବଂ ଅନ୍ୟଜାତିର ଛାତ୍ରମାନେ ଅଲଗା ବୋର୍ଡିଂରେ ବସିବା ବ୍ୟବସ୍ଥା ଥିଲା।
ମେସର ପୂଜାରୀ ବା ରୋଷେଇଆ ଜଣେ ପୁରୁଖା ବ୍ରାହ୍ମଣ। ବଡ଼ କଷ୍ଟରେ ସେ ଯୋଗାଡ଼ ହୋଇଥାଆନ୍ତି। ପୂଜାରୀ ଯେତିକି ତା, ଠୁଁ ଅଧିକ ଅଭିଭାବକ। କଥା କଥାକେ ପିଲାଙ୍କୁ ଆକଟ କରିବା ଲୋକ।
ତାଙ୍କର ଗୋଟେ ଅଭ୍ୟାସ, ସେ ସନ୍ଧ୍ୟାରେ ଡାଲି କି ତରକାରି ରାନ୍ଧି ଦେଇ ହାଣ୍ଡିରେ ପାଣି ଫୁଟିଲା ପରେ ଚାଉଳ ପକେଇ ଚୁଲିମୁଣ୍ଡରେ ଶୋଇ ପଡ଼ନ୍ତି। ରାତି ପ୍ରାୟ ୧୧ଟା ବେଳକୁ ପିଲାମାନେ ତାଙ୍କୁ ଉଠାଇ ଦେଲେ ସେ ଭାତ ଗାଳି ଦେଇ ପିଲାଙ୍କୁ ଖାଇବା ବାଢ଼ି ଦିଅନ୍ତି।
ସେଦିନ ରାତିରେ ପୂଜାରୀ ଭାଇନା ଧଡ଼ପଡ଼ ହୋଇ ଉଠି ନିଦ ମଳ ମଳ ଆଖିରେ ଭାତ ଗାଳିଦେଇ ଡଙ୍କାଟା ଆଣି ଭାତ ବାଢ଼ିବାକୁ ବସିଲେ। କିନ୍ତୁ ଭାତ ହାଣ୍ଡି ଭିତରେ ଡଙ୍କା ବାଜି ଖଡ୍ ଖାଡ୍ ଶବ୍ଦ ଶୁଭିଲା। ଆହା! କି ଅବସ୍ଥା। ସେଦିନ ପୂଜାରୀ ହାଣ୍ଡିରେ ଚାଉଳ ପକେଇବାକୁ ଭୁଲି ଯାଇଥିଲେ। ଶେଷରେ ନୀଳକଣ୍ଠ ଦାସ ଏବଂ ଅନ୍ୟ ଛାତ୍ରମାନଙ୍କୁ ରାତିରେ ଚୁଡ଼ାଭଜା ଖାଇ ଭୋକ ମେଣ୍ଟାଇବାକୁ ପଡ଼ିଥିଲା।
Tags: #PanditNilakanthaDas #PuriZilaSchool #AmazingFacts










