ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ, ଓଡ଼ିଆ ଅସ୍ମିତା ନୃତ୍ୟକଳା ସମ୍ମାନ ପାଇଲେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ

(ବାହାରିନ): ବିଦେଶ ମାଟିରେ ଦେଖିବାକୁ ମିଳିଲା ଓଡ଼ିଆ ଅସ୍ମିତାର ଝଲକ। ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହେଲା ଓଡ଼ିଆ ଅସ୍ମିତା ଉତ୍ସବ ୨୦୨୫।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ବାହାରିନର ସଲମାବାଦସ୍ଥିତ ଗଲ୍ଫ ଏୟାର କ୍ଳବ ଗୋଲଡେନ ଇଗଲ ହଲଠାରେ ଆୟୋଜିତ ଉତ୍ସବରେ ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ. ଜାକବ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ।

ପ୍ରମୁଖ ଅତିଥି ଭାବେ ରୁଷିଆ, ଜାପାନ, ନେପାଳ, ଥାଇଲାଣ୍ଡ, ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କ ସମେତ ବାହାରିନ ସଂସଦର ଉପାଧ୍ୟକ୍ଷ ଡକ୍ଟର ଜମାଲ ଫାଖରୋ, କିଙ୍ଗ ହମାଦ ବିଶ୍ଵ ଶାନ୍ତି ଅନୁଷ୍ଠାନର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବ୍ଦୁଲା ଅଳମାନ୍ନାଇ, ବାହାରିନ ଶ୍ରମ ଓ ସାମାଜିକ ଉନ୍ନୟନ ବିଭାଗର ଶ୍ରମ ବ୍ୟାପାର ସଚିବ ଅହମ୍ମଦ ଅଲହାଇକି ପ୍ରମୁଖ ଯୋଗ ଦେଇ ଦୁଇ ଦେଶର ଏଭଳି ସାଂସ୍କୃତିକ ବିନିମୟକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କୁ ଓଡ଼ିଆ ଅସ୍ମିତା ନୃତ୍ୟକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ନିଜ ବାର୍ତ୍ତା ଦେଇଥିଲେ।

ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ଓଡ଼ିଆ ଖାଦ୍ୟ, ପୋଷାକ ଆଦି ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବାହାରିନ ଉତ୍କଳିକା’ ଉନ୍ମୋଚିତ ହୋଇଥିଲା।

Tags: #OdiaAsmitaFestival #BaharainOdiaSamaj #Baharain

Comment