ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷଠାରେ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ।  

ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ ସଂଗଠନ କର୍ମକର୍ତ୍ତା, ସେବାୟତ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଶୃଙ୍ଖଳିତ ରଥଯାତ୍ର ପାଇଁ ପ୍ରସ୍ତୁତି ନିମନ୍ତେ ଆଲୋଚନା କରିଥିଲେ ଜିଲ୍ଲାପାଳ।

ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଇ ଦେବାକୁ ନିର୍ବାହୀ ଅଧିକାରୀ ଠାକୁର ମାହଲ ସୋନମ ଦାସ ପ୍ରକାଶ କରିଥିଲେ। ରଥ ଯାତ୍ରା ସମୟରେ ରଥ ଉପରେ ଅବସ୍ଥାପିତ ବ୍ୟକ୍ତି ବିଶେଷଙ୍କ ତାଲିକା ଚୂଡ଼ାନ୍ତ, ରଥ ଉପରେ ପ୍ରବଚନ, ରଥର ଯୋଗ୍ୟତା ପ୍ରମାଣ ପତ୍ର, ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଅପରାଧ ନିୟନ୍ତ୍ରଣ, ସାଧା ପୋଷାକଧାରୀ ପୋଲିସ ବ୍ୟବସ୍ଥା, ସିସି ଟିଭି କ୍ୟାମେରା, ପାଣି ଆଦିର ବନ୍ଦୋବସ୍ତ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇ ସତର୍କତାମୂଳକ ସୂଚନା ପ୍ରଦାନ, ଅସ୍ଥାୟୀ ଚିକିତ୍ସା ସହାୟତା କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ଗଚ୍ଛିତ ସହିତ ଆମ୍ବୁଲାନ୍ସ ସେବା ମହଜୁଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବଡ଼ ଦାଣ୍ଡରେ ରହିଥିବା ବିଭିନ୍ନ ଅବ୍ୟବସ୍ଥାକୁ ଦୂର କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ପିଡବ୍ଲ୍ୟୁଡି, ବିଦ୍ୟୁତ ଏବଂ ଏନଏସିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Tags: #RathYatra #Festival #Tradition #Meeting #Balasore #Odisha

Rath Yatra, Festival, Tradition, Meeting, Balasore, Odisha

Comment