ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଗୋଟିଏ ରାତିରେ ୫ ଜଣ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ଗୋଟିଏ ରାତିରେ ୫ ଜଣ ରୋଗୀଙ୍କର ଏକା ସାଙ୍ଗରେ କିପରି ମୃତ୍ୟୁ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ।

ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏ ପଟେ ମୃତ୍ୟୁର କାରଣ ଖୋଜିବାକୁ ୫ ଜଣିଆ ସ୍ଵତନ୍ତ୍ର କମିଟି ଗଠନ ହୋଇଛି।

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୫ ଜଣ ରୋଗୀଙ୍କର ମଙ୍ଗଳବାର ରାତିରେ ଏକା ସାଙ୍ଗରେ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ଆଉଜଣଙ୍କର ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରୁ ତିନି ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ତିନିଜଣ ସାଧାରଣ ୱାର୍ଡରେ ଚିକିତ୍ସାଧୀନ ଥିଲେ। ତେବେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀମାନଙ୍କର ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତକମାନେ ହେଲେ ଭଗବାନ ପରଜା, ଶୁକ୍ରା ମାଝୀ, ରୁକ୍ମିଣୀ ପେଣ୍ଟିଆ, ବତି ଖରା ଓ ଫୁଲମତି ମାଝୀ।

ଏହି ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିବାରୁ ଉତ୍ତେଜନା ଦେଖା ଦେଇଥିଲା। କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏବେ ହସ୍ପିଟାଲ ପରିସରରେ ପୋଲିସ ମୁତୟନ ହୋଇଛନ୍ତି।

ଚିକିତ୍ସାରେ ଅବହେଳା ନା ଔଷଧ ବା ଇଞ୍ଜେକ୍ସନର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ତା’ର ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା ୫ ଜଣିଆ କମିଟିରେ ଏସସିବିର ୨ ଜଣ ଡାକ୍ତର ଏବଂ ଏମକେସିଜିର ୩ ଜଣ ଡାକ୍ତର ରହିଛନ୍ତି। ଆସନ୍ତାକାଲି ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

Tags: #SahidLaxmanNayakMedicalCollegeandHospital #Death #Treatment #Violence #Koraput #Odisha

Comment