ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାକୁ ଆସିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ଏହି ଚର୍ଚ୍ଚା ବିବାଦକୁ ନେଇ ନୁହେଁ, ତାଙ୍କ ବିବାହକୁ ନେଇ। ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା। ଗତ ମେ’ ମାସରେ ଦୁହେଁ ଜର୍ମାନୀରେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ପିନାକୀ ମିଶ୍ର କିମ୍ବା ମହୁଆ ମୋଇତ୍ରାଙ୍କ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇ ନାହିଁ।
୫୦ ବର୍ଷ ବୟସରେ ଦୀର୍ଘ ଦିନର ବନ୍ଧୁ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି ମହୁଆ। ଜର୍ମାନୀରେ ବିବାହ ଉତ୍ସବର ଆୟୋଜନ ହୋଇଥିବାବେଳେ ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିବା କୁହାଯାଉଛି।
ଏହା ହେଉଛି ଉଭୟଙ୍କର ଦ୍ଵିତୀୟ ବିବାହ। ମହୁଆଙ୍କର ପ୍ରଥମ ସ୍ଵାମୀଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ପିନାକୀ ମିଶ୍ର ମଧ୍ୟ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କୁହାଯାଉଛି।
ମହୁଆ ମୋଇତ୍ରା ୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିଲେ। ବ୍ୟାଙ୍କର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ମହୁଆ ୨୦୧୦ ମସିହାରେ ମତତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ ଯୋଡ଼ି ହୋଇଥିଲେ।
ମହୁଆ ଦୁଇ ଥର ସାଂସଦ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସେ ୨୦୧୯ ଏବଂ ୨୦୨୪ରେ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ସେହିପରି ୧୯୫୯ ମସିହାରେ ଜନ୍ମ ଗ୍ରହଣ କରିଥିବା ପିନାକୀ ମିଶ୍ର ୪ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଓକିଲାତି ପେସା ସାଙ୍ଗକୁ ରାଜନୀତି ନିଶା ତାଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛି। ଭାରତୀୟ ଜାତୀୟ କଂଗ୍ରେସରୁ ପିନାକୀ ମିଶ୍ର ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ସେ ୧୯୯୬ ମସିହାରେ ପୁରୀ ଲୋକସଭା ଅସନରୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳ (ବିଜେଡି) ରେ ଯୋଗ ଦେଇଥିଲେ। ବିଜେଡି ଟିକେଟରେ ୨୦୦୯, ୨୦୧୪ ଏବଂ ୨୦୧୯ ଲଗାତର ତିନି ପାଳି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଦୁହେଁ ଏହି ସିକ୍ରେଟ ମ୍ୟାରେଜ ବିଷୟରେ କେବେ ଘୋଷଣା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
Tags: #Politics #PinakiMisra #MahuaMoitra #Politician #Marriage

















