ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଯୁବକବି ସଂଘମିତ୍ରା ଭୂତିଆଙ୍କୁ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୨୧ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶସ୍ତିପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।
ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ପୁରସ୍କାର ସମାରୋହରେ ଅତିଥିମାନେ ଯୋଗଦେଇ କହିଛନ୍ତି, ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ତରୁଣ ପ୍ରତିଭାମାନଙ୍କୁ ସବୁସ୍ତରରୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ।
ପୁରସ୍କାର ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ ଯୋଗଦେଇ କହିଥିଲେ ଯେ, “ମା’ଙ୍କ ସ୍ମୃତିରେ ପ୍ରଦତ୍ତ ଏହି ପୁରସ୍କାର ପ୍ରତିଟି ମା’ଙ୍କୁ ଉତ୍ସାହିତ କରିବ। ନୂଆ ଲେଖିକାଙ୍କ ପାଇଁ ଏହି ପୁରସ୍କାର ସ୍ୱୀକୃତି ନୁହେଁ, ବରଂ ଏକ ଭିତ୍ତିପ୍ରସ୍ତର। ସ୍ଵପ୍ନ, ସମ୍ପୃକ୍ତି ଓ ଆବେଗ ବିନା କବିତା ସଫଳ ହୁଏନାହିଁ। ନୂଆପିଢ଼ି ଏହା ଉପରେ ଧ୍ୟାନ ଦେବା କଥା।”
ଖ୍ୟାତନାମା କଥାଶିଳ୍ପୀ ଡକ୍ତର ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି, ନୂତନ ପ୍ରତିଭାମାନଙ୍କ ପୂର୍ବସୂରୀମାନଙ୍କ ପ୍ରତି ସମ୍ମାନବୋଧ ଓ କୃତଜ୍ଞତା ରହିବା ଆବଶ୍ୟକ। ଯେଉଁମାନେ ସମ୍ପ୍ରତି ଲେଖାଲେଖି କରୁଛନ୍ତି ସେମାନେ ସାହିତ୍ୟର ପରମ୍ପରା ପ୍ରତି ସଜାଗ ରହିବା ଜାରୁରୀ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ର କହିଥିଲେ, ତାରୁଣ୍ୟ ସବୁବେଳେ ଅଭିନବତ୍ୱ ଓ ଅସାଧାରଣତ୍ୱର ପ୍ରମାଣ ଦେଇ ଆସିଛି। ଓଡ଼ିଆ ସାହିତ୍ୟରେ ତରୁଣ ପ୍ରତିଭାମାନଙ୍କ ଯୋଗଦାନ ଯେତେ ସଶକ୍ତ ହେବ ଭାଷା ଓ ସାହିତ୍ୟର ସେତେ ବିକାଶ ହୋଇପାରିବ ଏବଂ ଆମ ସାହିତ୍ୟ ବିଶିଷ୍ଟ ଲେଖକମାନଙ୍କୁ ପାଇପାରିବ।
କବି ସଂଘମିତ୍ରା ଭୂତିଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ପୁରସ୍କାରର ସଂସ୍ଥାପକ ଅଶୋକ ମହାପାତ୍ର ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
Tags: #AnusayaMohapatraSmrutiLekhikaPuraskar #Literature #SanghamitraBhutia #BhubaneswarSahityaSamajTrust #Odisha








