ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟ ଜଗନ୍ନାଥ କହିଲେ, ଓଡ଼ିଆରେ ଓଡ଼ିଶାବାସୀଙ୍କୁ ନମସ୍କାର ଓ ଜୁହାର କହି ନିଜ ଅଭିଭାଷଣର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରେ ବିଜେପି ସରକାର ସଫଳତାର ସହ ଏକ ବର୍ଷ ପୂରଣ କରିଥିବାରୁ ଜନତା ମଇଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ମୋହନ ସରକାର ଓଡ଼ିଶାର ବିକାଶକୁ ନୂଆ ଗତି ଦେଇଛନ୍ତି। ମାତ୍ର ଏକ ବର୍ଷ ମଧ୍ୟରେ ଅନେକ ସଫଳତାର ଉପଲବ୍ଧି ହାସଲ କରିଛନ୍ତି ରାଜ୍ୟ ସରକାର। ଭାରତର ବିକାଶରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ରହିଛି। ବିଜେପି କେବଳ ବିକାଶରେ ହିଁ ବିଶ୍ଵାସ କରେ ଏହା ପ୍ରମାଣିତ କରି ଦେଖାଇଛନ୍ତି ମୋହନ ସରକାର।”

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ବିଜେପି ସରକାର କେବଳ କଥାରେ ନୁହେଁ କାମରେ କରି ଦେଖାଏ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲାଗଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ମଧ୍ୟ ଖୋଲା ହେଲା। ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ପାଇଁ ନୁହେଁ, ବରଂ କୋଟି ଜନତାଙ୍କ ବିଶ୍ଵାସ ପାଇଁ କରାଗଲା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ, କାନାଡ଼ା ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରି ଓ୍ଵାସିଂଟନ ଆସିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାରୁ ସେ ଟ୍ରମ୍ପଙ୍କୁ ମନା କରିଦେଇଥିଲେ। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ ନରେନ୍ଦ୍ର ମୋଦୀ।

ସେ ଆହୁରି କହିଥିଲେ, ଆଗାମୀ ୨୦୩୬ ପାଇଁ ଭିଜନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଚାଲିଥିବା ଡବଲ ଇଞ୍ଜିନ ସରକାରର ବେନିଫିଟ ଲୋକଙ୍କୁ ମିଳିପାରୁଛି। ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଘେରରେ ରହିଥିବା ରାଜ୍ୟବାସୀ ଏବେ ଧୀରେ ଧୀରେ ମୁକୁଳି ପାରୁଛନ୍ତି। ବିଗତ ଏକ ବର୍ଷ ମଧ୍ୟରେ ବିଜେପି ସରକାର ସବୁସ୍ତରରେ କାମ ଆରମ୍ଭ କରିଛନ୍ତି। ଓଡ଼ିଶାରେ ଏବେ ବିକାଶର ଇଞ୍ଜିନ ଚାଲିଛି। ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୂରଦୃଷ୍ଟି ରଖିବାର ଆବଶ୍ୟକତା ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ, ଦେଶରେ ପ୍ରଥମ ଥର ପାଇଁ ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯାଇଛି। ପ୍ରଥମ ଥର ମତ୍ସ୍ୟଜୀବୀଙ୍କୁ କିଷାନ କାର୍ଡ ସୁବିଧା ମିଳିବ। ଏଥିପାଇଁ ୨୫ ହଜାର କୋଟି ଟଙ୍କାର ଫଣ୍ଡ କରାଯିବ। ଏହାର ସୁବିଧା ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ମିଳିବ।

ପାରାଦୀପଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଔଦ୍ୟୋଗୀ ବିକାଶ ହେଉଛି। ଏହି ପଦକ୍ଷେପ ଓଡ଼ିଶାକୁ ଏକ ବୃହତ୍ତ ଇଣ୍ଡଷ୍ଟ୍ରିଆଲ ରାଜ୍ୟ ଭାବେ ସ୍ଥାପିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ କହିଛନ୍ତି, ଓଡ଼ିଶାରେ ପେଟ୍ରୋଲିୟ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ ଏବଂ ପ୍ଲାଷ୍ଟିକ ସହ ଜଡ଼ିତ ଉଦ୍ୟୋଗକୁ ବଳ ମିଳିବ। ଏହାଦ୍ଵାରା କ୍ଷୁଦ୍ର ଓ ଲଘୁ ଉଦ୍ୟୋଗର ସଂପ୍ରସାରଣ ହୋଇପାରିବ। ରାଜ୍ୟର ଯୁବପିଢ଼ିଙ୍କ ପାଇଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିଗତ ବର୍ଷମାନଙ୍କରେ ପେଟ୍ରୋଲିୟ ଓ ପେଟ୍ରୋକେମିକାଲ୍ସ ସେକ୍ଟରରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ନିବେଶ ହୋଇସାରିଛି। ଓଡ଼ିଶା ଆଗାମୀ ଦିନରେ ଭାରତର ପେଟ୍ରୋକେମିକାଲ ହବ ହେବା ଦିଗରେ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Tags: #PMNarendraModi #RoadShow #OdishaGovt #BJPGovt #Bhubaneswar #Odisha

Comment