ଓଡ଼ିଶାଲାଇଭ୍ ବ୍ୟୁରୋ

“ଯୋଗ ବିଶ୍ୱ ମାନବ ସମାଜକୁ ଭାରତର ଏକ ଅନନ୍ୟ ଉପହାର। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଯୋଗକୁ କେବଳ ଏକ ବ୍ୟାୟାମ କିମ୍ବା ଆସନ ମଧ୍ୟରେ ସୀମିତ କରି ରଖିବା ଉଚିତ ନୁହେଁ’’, ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଥିବାବେଳେ ଦେଶବ୍ୟାପୀ ସାମୂହିକ ଯୋଗ କରିଛନ୍ତି ସମସ୍ତେ। ‘ଏକ ପୃଥିବୀ, ଏକ ସ୍ଵାସ୍ଥ୍ୟ ପାଇଁ ଯୋଗ’ ଥିମକୁ ନେଇ କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମୂହିକ ଯୋଗାଭ୍ୟାସ କରିଥିଲେ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ଯୋଗ ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିଲେ ମଧ୍ୟ, ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଜଡ଼ିତ ନୁହେଁ। ଯୋଗ ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଜୀବନ ସହ ଯୋଡ଼ି ହୋଇଯାଇଛି।

ସେ ଆହୁରି କହିଥିଲେ ଯେ, “ଯୋଗ ହେଉଛି ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା କେବଳ ଦେଶ ଭିତରେ ସୀମିତ ହୋଇରହିଥିଲା। ପରେ କେନ୍ଦ୍ର ସରକାର ଏହାକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ନେଇଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଯୋଗର ଗୁରୁତ୍ଵ ପଢ଼ୁଛି। ଶିକ୍ଷାନୁଷ୍ଠାନ ତଥା କ୍ରୀଡ଼ା କେନ୍ଦ୍ର ମାଧ୍ୟମରେ ଯୋଗ ସମ୍ବନ୍ଧୀୟ କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି। ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା ସଶକ୍ତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।
ରାଜ୍ୟରର ସବୁ ଜିଲ୍ଲାରେ ଯୋଗ ଅଧିବେଶନ ଅନୁଷ୍ଠିତ ହେଉଛି। ସହରାଞ୍ଚଳଠାରୁ ଗ୍ରାମଞ୍ଚଳର ଲୋକ ଯୋଗ ଦିବସ ପାଳନ କରିବାକୁ ଏକାଠି ହେଉଛନ୍ତି। ଏହା ଏକ ସୁସ୍ଥ ଏବଂ ସୁନ୍ଦର ଜୀବନ ପ୍ରତି ସେମାନଙ୍କର ବିଶ୍ୱାସକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। ।
ଆଜି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଶିବିରରେ ୧୫ ହଜାର ଅଧିକ ସାଧାରଣ ଜନତା ଏକାଠି ହୋଇଥିଲେ। ସମାରୋହରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀମନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।
Tags: #InternationalYogaDay2025 #Yoga #YogaBenefits #OdishaGovt #CMMohanCharanMajhi #Bhubaneswar


















