ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୫’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍‌ର ଆୟୋଜନ କରାଯାଉଛି। ବୁଧବାର ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହେବ।

ଏହି କନକ୍ଲେଭକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଡିଜି ଆଇଏଏସ ସୁମନ ବିଲ୍ଲା, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମାନସୀ ନିମ୍ବାଲ ଏବଂ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶାର (ଏଚଆରଏଓ) ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ ଷ୍ଟାଟିଷ୍ଟିକ୍ ରିପୋର୍ଟ-୨୦୨୪ ଅନୁଯାୟୀ, ୨୦୨୩ ମସିହାରେ ଓଡ଼ିଶାରେ ୧୬ଟି ତାରକା ହୋଟେଲ ରହିଛି ଓ ଏଥିରେ ୧,୦୫୫ଟି ରୁମ ରହିଛି। ଓଡ଼ିଶାକୁ ସେହିବର୍ଷ ୯୭.୨୫ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ୦.୪୫ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୫ ଶେଷ ସୁଦ୍ଧା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ହାରୋର ସ୍ୱପ୍ନ ରହିଥିବା କହିଛନ୍ତି ସ୍ୱସ୍ତି ଗ୍ରୁପ ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶା ବର୍ତ୍ତମାନ ପର୍ଯ୍ୟଟନ କ୍ଷେତ୍ରରେ ୧୭ ନମ୍ବର ରାଙ୍କରେ ରହିଛି। ଆଗାମୀ ୨୦୨୭ ମସିହା ସୁଦ୍ଧା ଏହି ରାଙ୍କକୁ ୭ ନମ୍ବର ଓ ୨୦୩୬ ସୁଦ୍ଧା ୩ ନମ୍ବରକୁ ଆଣିବାକୁ ଆଶା ରହିଛି।

“ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦେବା ଏହି କନ୍‌କ୍ଲେଭର ମୂଳ ଉଦ୍ଦେଶ୍ୟ ରହିଛି। ଏହି କନକ୍ଲେଭ ଅବସରରେ ଆସିଥିବା ସମସ୍ତଙ୍କ ମତାମତକୁ ଏକତ୍ର କରି ଏଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ”, କହିଛନ୍ତି ଜିତେନ୍ଦ୍ର କୁମାର ମହାନ୍ତି।

ଷଷ୍ଠ ଓଡ଼ିଶା ଟୁରିଜିମ କନକ୍ଲେଭରେ ହୋଟେଲ ମାଲିକ, ଟୁର୍ ଅପରେଟର୍ସ, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ମିଡିଆ, ଡିଜିଟାଲ ମାର୍କେଟିଂ, ଏୟାରଲାଇନ୍ସ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ ଆଲୋଚନା କରିବେ।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏହି କନକ୍ଲେଭର କମ୍ୟୁନିକେସନ ପାର୍ଟନର ରହିଛି।

Tags: #HRAO #OdishaTourismConclave2025 #Bhubaneswar #HotelAndRestaurantAssociation

Comment