ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସହର ହେବ ମହାନଗର ନିଗମ। ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ସହ ପୁରୀକୁ ଉନ୍ନତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭୁବନେଶ୍ଵରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏବେ ରାଜ୍ୟରେ ବଢ଼ିବ ମହାନଗର ନିଗମର ସଂଖ୍ୟା।
ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ପରେ ମହାନଗର ନିଗମ ତାଲିକାରେ ଯୋଡ଼ି ହେବ ପୁରୀର ନାଁ।
ପୁରୀର ବର୍ଦ୍ଧିତ ଜନସଂଖ୍ୟା ଏବଂ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଏନେଇ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ସଂସ୍କୃତି, କିମ୍ବଦନ୍ତୀ ଓ ଇତିହାସର ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ।
ସେ କହିଛନ୍ତି, “ପୁରୀ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ସମର୍ଥ ହୋଇପାରୁ ନାହିଁ ପୁରୀ ପୌରପାଳିକା। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ପୁରୀବାସୀ ଏବଂ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ ରାଜ୍ୟ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ।”
ଆଗାମୀ ୨୦୩୬ ସୁଦ୍ଧା ସୁନ୍ଦର, ସବୁଜ ଓ ବିକଶିତ ହେବ ପୁରୀ। ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶା ସମ୍ଭବ ନୁହେଁ। ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Tags: #Puri #MunicipalCorporation #OdishaGovt #CMMohanCharanMajhi #Odisha
















