ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ସକାଳ ୧୦ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ରଥ ଉପରେ ସବୁ ନୀତିକାନ୍ତି ସରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ।

ଦିନ ୧୨ଟା ସୁଦ୍ଧା ପହଣ୍ଡି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥ ଉପରେ ଛେରାପହଁରା କରିବେ। ଛେରାପହଁରା ସରିବା ପରେ ଚାରମାଳ ଫିଟାଯିବା ଏବଂ ଘୋଡ଼ା ଲାଗି କରାଯାଇ ରଥଟଣା ଆରମ୍ଭ ହେବ। ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ଶ୍ରୀମନ୍ଦିର ନିକଟରେ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶନିବାର ଭୋର ୪ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା।

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରେ ୨୦୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ଭକ୍ତଙ୍କ ଯାତାୟ‌ାତ ପାଇଁ ସ୍ଵତନ୍ତ୍ର ଟ୍ରାଫିକ ରୁଟ୍‌ ନିର୍ଦ୍ଧାରିତ ହୋଇଛି। 

Tags: #BahudaJatra #ShreeGundichaTemple #Culture #Puri

Comment