ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ ଓଡ଼ିଶା ବିଜେପି ସଭାପତି ହେଲେ ମନମୋହନ ସାମଲ। ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ମନମୋହନ। ରାଜ୍ୟ ବିଜେପି ସଭାପତି ଭାବେ ମଙ୍ଗଳବାର ଦିନ ମନମୋହନ ସାମଲଙ୍କ ନାଁ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୈସଓ୍ଵାଲ।

ରାଜ୍ୟ ବିଜେପି ସଭାପତି ପଦ ପାଇଁ ଗତକାଲି ମନମୋହନ ସାମଲ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ପରେ ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ମନମୋହନ ସାମଲ ଲଗାତର ଦୁଇଥର ବିଜେପି ସଭାପତି ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୧୯୯୯ରୁ ୨୦୦୦, ୨୦୦୦ରୁ ୨୦୦୪ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୩ରୁ ବର୍ତ୍ତମାନ ଯାଏଁ ବିଜେପି ରାଜ୍ୟ ସଭାପତି ପଦରେ ଅଛନ୍ତି।

ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ହେଉଛନ୍ତି ମନମୋହନ ସାମଲ। ରାଜନୀତିରେ ରହିଛି ତାଙ୍କର ଲମ୍ବା କ୍ୟାରିୟର। ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂଦସ ସଭାପତି ନିର୍ବାଚିତ ହୋଇଥିଲେ। ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର।

ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୯ ମସିହାରେ ସେ ରାଜ୍ୟ ବିଜେପି ସଭାପତି ହୋଇଥିଲେ। ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମେଣ୍ଟ ସରକାରରେ ମନମୋହନ ସାମଲ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୦୮ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Tags: #Politics #OdishaPolitics #ManmohanSamal #BJPStatePresident

Comment