ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆସିଲେ, ଭୁବନେଶ୍ଵରରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀର ଦଳର ନେତା ରାହୁଲ ଗାନ୍ଧୀ। ରଥଯାତ୍ରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ରାହୁଲ।
ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ଯୋଗ ଦେଇଥିଲେ ରାହୁଲ ଗାନ୍ଧୀ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, ଓଡ଼ିଶାରେ ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଥିଲା, ସେମାନଙ୍କ ରହିଁ ରହିବ। ପେସା ଆଇନ ଲାଗୁ ନକରି ଆଦିବାସୀଙ୍କୁ ଅନ୍ୟାୟ ଭାବେ ହଟାଇ ଦିଆଯାଉଛି। ଆଦିବାସୀଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେବ କଂଗ୍ରେସ। ଆଦିବାସୀଙ୍କ ସହ ଚାଷୀ ଏବଂ ଅବହେଳିତ ଗରିବ ଲୋକଙ୍କ ସାଙ୍ଗରେ କଂଗ୍ରେସ ସର୍ବଦା ରହିବ ବୋଲି ରାହୁଲ କହିଛନ୍ତି।
ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଦେଖା ଦେଇଥିବା ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ରାହୁଲ ଗାନ୍ଧୀ। ସେ କହିଲେ, “କୋଟି ଓଡ଼ିଆଙ୍କ ଭାବାବେଗକୁ ପଛରେ ପକାଇ, ଆଦାନୀ ଏବଂ ତାଙ୍କ ପରିବାର ପାଇଁ ରଥକୁ ଅଟକା ଗଲା। ଓଡ଼ିଶାରେ ଆଦାନୀ ସରକାର ଚାଲିଛି।”

ଓଡ଼ିଶାକୁ ବଡ଼ ବଡ଼ କମ୍ପାନି ଆସି ଜମି, ଖଣି ଏବଂ ପାଣି ନେଇ ଯାଉଛନ୍ତି। ଯୁବକଯୁବତୀଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ସେ ଆହୁରି କହିଥିଲେ, ପୂର୍ବ ସରକାର ଭଳି ଏ ସରକାର ମଧ୍ୟ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି। ଗରିବ ଆଦିବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଓଡ଼ିଶାର ବିକାଶ କଥା କହିଛି ୫ରୁ ୬ଟି କମ୍ପାନି ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ବିକାଶ ଅରବପତିଙ୍କ ପାଇଁ ନୁହେଁ, ଓଡ଼ିଶାର ଜନସାଧାରଙ୍କ ବିକାଶ ହେବା ଆବଶ୍ୟକ। କଂଗ୍ରେସ ରାଜ୍ୟବାସୀଙ୍କ ସହ ମିଶି ଏହି ଲଢ଼େଇ ଲଢ଼ିବ ଏବଂ ଜିତିବ ବୋଲି କହିଥିଲେ ରାହୁଲ ଗାନ୍ଧୀ।
ମୋଦୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଥିଲେ, “କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିଥିଲେ। ପୂରା ଦେଶରେ ଫସଲ ବୀମା ଯୋଜନା ଲାଗୁ କରିଥିଲେ। ଚାଷୀଙ୍କ ଅସୁବିଧା ସମୟରେ ଏହି ଯୋଜନା ସହାୟକ ହେବ ବୋଲି କୁହାଯାଇଥିଲା। କିନ୍ତୁ ଗରିବ ଲୋକଙ୍କଠାରୁ ଟଙ୍କା ନେଇ ୩ରୁ ୪ଟି କମ୍ପାନିକୁ ଦିଆଗଲା। ହେଲେ ଏହି କମ୍ପାନି ଅସୁବିଧା ସମୟରେ ଚାଷୀଙ୍କୁ ସହାୟତା କରୁନାହାନ୍ତି। ଯଦି ଚାଷୀଙ୍କ ବୀମା ଯୋଜନା ଟଙ୍କା ସମ୍ପର୍କରେ ପଚାରା ଯାଏ, ଗୋଟିଏ ସ୍ଵରରେ ଉତ୍ତର ଆସିବ ଆମକୁ ଟଙ୍କା ମିଳିନାହିଁ। ସମ୍ବିଧାନ ଗରିବ, ଚାଷୀ, ମୂଲିଆଙ୍କ ରକ୍ଷା କରେ, କିନ୍ତୁ ତାହା ହେଉନାହିଁ।”
ରାହୁଲ ଗାନ୍ଧୀ ଆହୁରି କହିଥିଲେ, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି। କିନ୍ତୁ କାହାରିକୁ ଜଣାନାହିଁ ସେମାନେ କୁଆଡ଼େ ଗଲେ। ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ୁଛି ଓ ଦୁଷ୍କର୍ମ ଘଟଣା ବଢ଼ୁଛି। କିନ୍ତୁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏସବୁ ବିରୋଧରେ ଲଢ଼େଇ କରିବାକୁ କଂଗ୍ରେସ ସବୁବେଳେ ଓଡ଼ିଶାବାସୀଙ୍କ ସାଙ୍ଗରେ ରହିବ। ଯେଉଁ ସମୟରେ ଡାକିଲେ ମୁଁ ଆସି ଆପଣମାଙ୍କ ପାଖରେ ଛିଡ଼ା ହେବି ବୋଲି ସମାବେଶ ମଞ୍ଚରେ କହିଥିଲେ ରାହୁଲ ଗାନ୍ଧୀ।
Tags: #Politics #OdishaPolitics #RahulGandhi #Congress #BJP #Odisha

















