ଓଡ଼ିଶାଲାଇଭ୍ ବ୍ୟୁରୋ

ଘର ଚଳେଇବାଠାରୁ ଗାଡ଼ି ଚଲେଇବା, ସବୁକ୍ଷେତ୍ରରେ ପାରଙ୍ଗମ ଆଜିର ମହିଳା। ସେଇଥିପାଇଁ ସବୁକ୍ଷେତ୍ରରେ ମହିଳାଙ୍କୁ ମିଳୁଛି ସମାନ ଅଧିକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାରୀ ଗାଡ଼ିର ଡ୍ରାଇଭର ଭାବେ ନିଯୁକ୍ତ ହୋଇଛନ୍ତି ଜଣେ ମହିଳା – ସନ୍ଧ୍ୟାରାଣୀ ମାଝୀ। ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ଏବେ ହୋଇଛନ୍ତି ଓଡ଼ିଶାର ପ୍ରଥମ ମହିଳା ସରକାରୀ ଗାଡ଼ି ଡ୍ରାଇଭର।
ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ିର ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି ସନ୍ଧ୍ୟାରାଣୀ। ପରିବହନ ବିଭାଗର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅଧିନସ୍ଥ ଏଚଏମଭି ପ୍ରତିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି ସନ୍ଧ୍ୟାରାଣୀ ମାଝୀ।
ଏହି ନିଯୁକ୍ତିକୁ ନେଇ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, “ପ୍ରତ୍ୟେକ ଡ୍ରାଇଭର, ଯାତ୍ରୀଙ୍କ ଅପେକ୍ଷା ଅଧିକ ଦାୟିତ୍ଵବାନ ଓ ନମ୍ର।”
କେବଳ ସନ୍ଧ୍ୟାରାଣୀ ନୁହନ୍ତି ‘ଆମ ବାସ’ ଏବଂ ‘ଓଏସଆରଟିସି’ ରେ ଅନେକ ମହିଳା କଣ୍ଡକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିବର୍ଷ ୫୦୦ ମହିଳା ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ସନ୍ଧ୍ୟାରାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ପରିବହନ ବିଭାଗର ଏହି ଦପକ୍ଷେପ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି।
ଓଡ଼ିଶାର ପ୍ରଥମ ମହିଳା ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବାରୁ ସନ୍ଧ୍ୟାରାଣୀ ମାଝୀଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।
Tags: #SandhyaraniMajhi #GovtDriver #OdishaGovt #WomenEmpowerment



















