ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ବୁଧବାର ଦିନ ଲୋକସେବା ଭବନ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିଲା।

ଆଜି ଭୁବନେଶ୍ଵରସ୍ଥିତ ଲୋୟର ପିଏମଜିଠାରେ ଏକାଠି ହୋଇଥିଲେ ବିଜେଡିର ବରିଷ୍ଠ ନେତା, ଯୁବ, ଛାତ୍ର ଓ ମହିଳା କର୍ମୀ। ଏଫଏମ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡିର ପ୍ରତିବାଦ ଚାଲିଥିବା ବେଳେ ପୋଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି କର୍ମୀ ବାରିକେଡ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଅଟକାଇଥିଲା ପୋଲିସ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। କିଛି ସମୟ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି।

ଆନ୍ଦୋଳନକାରୀଙ୍କୁ କାବୁ କରିବାକୁ ପୋଲିସ ପକ୍ଷରୁ ପ୍ରଥମେ ପାଣି ମାଡ଼ ଓ ପରେ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ଶତାଧିକ ଆନ୍ଦୋଳନକାରୀଙ୍କୁ ଜୋର କରି ଉଠାଇ ନେଇଥିଲା ପୋଲିସ।

ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ବେଳେ ଆହତ ହୋଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ ଏବଂ ବବି ଦାସ। ଆହତ ନେତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ଗୁରୁତର ଥିବାରୁ ବବି ଦାସଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନେକ କର୍ମୀ ମଧ୍ୟ ଆନ୍ଦୋଳନ ସମୟରେ ଆହତ ହୋଇଛନ୍ତି।

ଏପଟେ ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବାଲେଶ୍ଵରରେ ବନ୍ଦ ଡାକରା ଦେଇଛି ବିଜେଡି। ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଛି। ହାତରେ ପୋଷ୍ଟର ଏବଂ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି ବିଜେଡି ନେତା ଓ କର୍ମୀ। ବନ୍ଦ ପ୍ରଭାବରେ ବାଲେଶ୍ଵରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

Tags: #FMCollegeStudentDeathCase #Soumyashree #Protest #Politics #BJD #Bhubaneswar

Comment