ଓଡ଼ିଶାଲାଇଭ୍ ବ୍ୟୁରୋ

“ବିରୋଧୀ ଅନାସ୍ଥା ଆଣନ୍ତୁ, ଆମେ ପ୍ରସ୍ତୁତ ଅଛୁ। ଅନାସ୍ଥା ଆଣିଲେ ସରକାର ଆହତ ହେବେନି, ବରଂ ନିଜେ କ୍ଷତାକ୍ତ ହେବେ ବିରୋଧୀ। ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ”, କଂଗ୍ରେସର ଅନାସ୍ଥା ପ୍ରସ୍ଥାବ ପ୍ରସଂଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀ କହିଛନ୍ତି ବିରୋଧୀଙ୍କର ଅଧିକାର ରହିଛି ସେମାନେ ଅନାସ୍ଥା ଆଣିପାରିବେ। କିନ୍ତୁ ତା’ ପୂର୍ବରୁ ସେମାନେ ହୋମଓ୍ଵାର୍କ କରି ଆସନ୍ତୁ। କଂଗ୍ରେସ ୪୦ ବର୍ଷର ହିସାବ ଧରି ଆସୁ, ଆମେ ଗୋଟିଏ ବର୍ଷର ଗୋଟି ଗୋଟି କରି ହିସାବ ଦେବୁ। ବିଜେଡି ଏବଂ କଂଗ୍ରେସ ରାଜ୍ୟରେ ଲମ୍ବା ସମୟ ଧରି ଶାସନରେ ରହିଥିଲେ। ନିଜ କାର୍ଯ୍ୟକାଳ ସମୟରେ ସେମାନେ କ’ଣ ସବୁ କରିଛନ୍ତି ଏବଂ ଆମେ ଗୋଟିଏ ବର୍ଷରେ କ’ଣ କରିଛୁ ଜଣାପଡ଼ିବ ବୋଲି କହିଛନ୍ତି ସୁରେଶ ପୂଜାରୀ।
ଓଡ଼ିଶାରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ବର୍ଷିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା ପାଇଁ ଗତକାଲି ଆହ୍ୱାନ ଦେଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ସେ କହିଥିଲେ, ଯଦି ପ୍ରକୃତରେ ନାରୀକୁ ନ୍ୟାୟ ଦେବା ପାଇଁ ବିଜେଡିର ଆନ୍ତରିକତା ରହିଛି, ତେବେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣୁ। ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି ଆହ୍ୱାନ ଦେଇଥିଲେ ଭକ୍ତ ଚରଣ ଦାସ। ଆଜି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ଵ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
Tags: #Politics #OdishaPolitics #BJP #BJD #Congress #NoConfidenceMotion #Odisha


















