ଓଡ଼ିଶାଲାଇଭ୍ ବ୍ୟୁରୋ

- ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣ’ ଆହ୍ୱାନକୁ ଦୋହରାଇଲେ ପିକେ ମିଶ୍ର
- ବର୍ଦ୍ଧିତ ଭୂରାଜନୈତିକ ପ୍ରଭାବ, ରଣନୈତିକ ସହଭାଗିତା ଏବଂ ସଫ୍ଟ ପାୱାର ହେଉଛି ଭାରତର ଅନ୍ତର୍ଜାତୀୟ ଉପସ୍ଥିତିକୁ ବୃଦ୍ଧି କରିବାର ପ୍ରମୁଖ ମାଧ୍ୟମ – ଡକ୍ଟର ପିକେ ମିଶ୍ର
- “ନିର୍ଦ୍ଧାରିତ ସମୟରେ ସମାପ୍ତି ଏବଂ ଘରୋଇ କ୍ଷେତ୍ରର କ୍ଷମତାକୁ ଉପଯୋଗ କରିବା ହେଉଛି ଶୁଳ୍କ ହ୍ରାସ କରିବା ଏବଂ ପରମାଣୁ ପ୍ରକଳ୍ପର ଉପଯୋଗିତାକୁ ଉନ୍ନତ କରିବାର ପ୍ରମୁଖ ଉପାୟ”
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଆଜି ଭାବା ଆଣବିକ ଗବେଷଣା କେନ୍ଦ୍ର (ବିଏଆରସି) ତାଲିମ ବିଦ୍ୟାଳୟରେ ଆୟୋଜିତ ୬୮ତମ ସ୍ନାତକ ସମାରୋହରେ ଯୋଗ ଦେଇ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ।
ବିଏଆରସିର ଐତିହ୍ୟ ଏବଂ ଡକ୍ଟର ହୋମି ଜାହାଙ୍ଗୀର ଭାବାଙ୍କ ଦୃଷ୍ଟିକୋଣ ଉପରେ ଡକ୍ଟର ପିକେ ମିଶ୍ର ସୂଚନା ଦେବା ସହ ଅନୁଷ୍ଠାନର ତାଲିମ ଉତ୍କର୍ଷତା ଏବଂ ଭାରତର ବିକାଶରେ ଏହାର ଅବଦାନ ପାଇଁ ପ୍ରଶଂସା କରିଥିଲେ। ସେ ଆଭ୍ୟନ୍ତରୀଣ ପରିବର୍ତ୍ତନ ଏବଂ ପରିବର୍ତ୍ତନଶୀଳ ଅନ୍ତର୍ଜାତୀୟ ଗତିଶୀଳତା ଦ୍ୱାରା ଚାଳିତ ଭାରତର ବିଶ୍ୱସ୍ତରୀୟ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଯୁବ ଜନସଂଖ୍ୟା, ଭିତ୍ତିଭୂମି ବିସ୍ତାର ତଥା ପ୍ରଯୁକ୍ତିବିଦ୍ୟା ସଫଳତା ବିଷୟରେ ଉଲ୍ଲେଖ କରିଥିଲେ ପି କେ ମିଶ୍ର।
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଡକ୍ଟର ପିକେ ମିଶ୍ର ଆଲୋକପାତ କରିବା ସହ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ‘ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତରଣ’ର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।
ବିଭିନ୍ନ ସଫଳତାର ଉଦାହରଣ ଦେଇ ସେ କହିଥିଲେ, “୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ ଭାରତ ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ। ୨୦୨୪-୨୫ରେ ଦୃଢ଼ ଡିଜିଟାଲ୍ ଭିତ୍ତିଭୂମି ନିମନ୍ତେ ୧୮୫ ବିଲିୟନରୁ ଅଧିକ କାରବାର ୟୁପିଆଇରେ କରାଯାଇଛି ଏବଂ ୨୦୩୦ ସୁଦ୍ଧା ୫୦୦ ଜିଡବ୍ଲୁ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ସମେତ ଜଳବାୟୁ ପ୍ରତିବଦ୍ଧତା ଓ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଭଳି ପଦକ୍ଷେପ ନିଆଯାଇଛି।”
ମହାକାଶ କ୍ଷେତ୍ରର ସଫଳ ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ, ସ୍ୱଚ୍ଛ ଶକ୍ତି ଏବଂ ଜାତୀୟ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ପରମାଣୁ ଶକ୍ତି ପାଇଁ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି।
୨୦୨୪-୨୫ ବଜେଟର ପ୍ରମୁଖ ବଜେଟ ଘୋଷଣାଗୁଡ଼ିକ ଉପରେ ଡକ୍ଟର ପିକେ ମିଶ୍ର ଆଲୋକପାତ କରିଥିଲେ। ପରମାଣୁ ଶକ୍ତିର ସାମାଜିକ ପ୍ରଭାବକୁ ଗୁରୁତ୍ୱାରୋପ କରି ସେ କର୍କଟ ଚିକିତ୍ସା ପାଇଁ ରେଡିଓ ଆଇସୋଟୋପ୍ ବ୍ୟବହାର ଏବଂ ବର୍ଜ୍ୟଜଳ ଉପଚାର ଓ କୃଷି ସଂରକ୍ଷଣ ପାଇଁ ବିକିରଣ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଖାଦ୍ୟ ବିକିରଣ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସାମ୍ପ୍ରତିକ ବଜେଟ ବ୍ୟବସ୍ଥା ଉପରେ ଆଲୋକପାତ କରି ଡକ୍ଟର ପି କେ ମିଶ୍ର ୨୦୨୪-୨୫ କେନ୍ଦ୍ର ବଜେଟ୍ ଅଧୀନରେ ଏମଏସଏମଇ କ୍ଷେତ୍ର ପାଇଁ ୫୦ଟି ବହୁ ଉତ୍ପାଦ ଖାଦ୍ୟ ବିକିରଣ ୟୁନିଟ୍ ମଞ୍ଜୁରୀ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର ସଫଳତା ଉପରେ ସୂଚନା ଦେଇଥିଲେ।
ସେ କହିଥିଲେ, ୨୦୦୮ ମସିହାରୁ ୧୬ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି, ଯେଉଁଥିରେ ୯ଟି କାର୍ଯ୍ୟକ୍ଷମ ରହିଛି। ପରମାଣୁ ଶକ୍ତି ନିୟାମକ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସହାୟତା ପ୍ରଦାନ କରିଆସୁଛି। ସେ କହିଛନ୍ତି ଯେ, ୧୨ଟି ରାଜ୍ୟରେ ବିକିରଣ ସୁବିଧାଗୁଡ଼ିକ ସେଲ୍ଫ-ଲାଇଫ୍ ବୃଦ୍ଧି କରୁଛି ଏବଂ ଫଳ, ମସଲା, ଡାଲି ଏବଂ ଜଡ଼ିବୁଟି ଭଳି ଉତ୍ପାଦ ପାଇଁ ଅନ୍ତର୍ଜାତୀୟ ଫାଇଟୋସାନିଟାରି ମାନଦଣ୍ଡ ସହିତ ଅନୁପାଳନ ସୁନିଶ୍ଚିତ କରୁଛି।
ଗବେଷଣା ପ୍ରୟୋଗଶାଳାରୁ ବାହାରୁ ଥିବା ସ୍ପିନ୍-ଅଫ୍ ପ୍ରଯୁକ୍ତିବିଦ୍ୟାକୁ ବାଣିଜ୍ୟିକ କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, କୋଭିଡ୍ ପରବର୍ତ୍ତୀ ବିଶ୍ୱରେ ମୌଳିକ ପରିବର୍ତ୍ତନ ଆସିଛି। ଭାରତର ସ୍ୱାଧୀନ ପରମାଣୁ ଯାତ୍ରା ଏବଂ ବୈଜ୍ଞାନିକ ତଥା କୂଟନୈତିକ ମହଲରେ ଏହାର ସ୍ୱୀକୃତିକୁ ରେଖାଙ୍କିତ କରି, ପ୍ରମୁଖ ସଚିବ ଆମେରିକା ସହିତ ଚୁକ୍ତି, ଏନଏସଜି ଛାଡ଼ ଏବଂ ଆଇଟିଇଆରରେ ଅଂଶଗ୍ରହଣ ଭଳି ପ୍ରମୁଖ ମାଇଲଖୁଣ୍ଟ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।
ପରମାଣୁ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ଅତ୍ୟଧିକ ପୁଞ୍ଜି ଆବଶ୍ୟକତାକୁ ସ୍ୱୀକାର କରି ଡକ୍ଟର ପି କେ ମିଶ୍ର କହିଥିଲେ ଯେ, ସମୟସୀମା ମଧ୍ୟରେ ସମାପ୍ତି, କମ ମୂଲ୍ୟର ଆର୍ଥିକ ସହାୟତା ଏବଂ ଘରୋଇ କ୍ଷେତ୍ରର କ୍ଷମତାକୁ ଉପଯୋଗ କରିବା ହେଉଛି ଶୁଳ୍କ ହ୍ରାସ ଓ ଏହାର ଉପଯୋଗିତାକୁ ଉନ୍ନତ କରିବାର ପ୍ରମୁଖ ଉପାୟ।
ଡକ୍ଟର ପି କେ ମିଶ୍ର ପରମାଣୁ ଶକ୍ତି ନିୟାମକ ବୋର୍ଡ ଏବଂ ବିଏଆରସି ସୁରକ୍ଷା ପରିଷଦର ଭୂମିକା ଉଲ୍ଲେଖ କରି ସୁରକ୍ଷା ଶାସନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧି ପାଉଥିବାରୁ ସେ ନିୟାମକ ପ୍ରଣାଳୀକୁ ଧ୍ୟାନରେ ରଖି ଅଧିକ ସୁରକ୍ଷା-ସମ୍ବନ୍ଧୀୟ ଗବେଷଣାରେ ନିବେଶ କରିବାକୁ ଆହ୍ୱାନ କରିଥିଲେ।
ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବା ସମୟରେ ବୈଷୟିକ ଦକ୍ଷତା ମନୋଭାବ ଏବଂ ଆଭିମୁଖ୍ୟ ସହିତ ମେଳ ଖାଇବା ଆବଶ୍ୟକ ବୋଲି ସେ କହିଥିଲେ। ନୂତନ ବୈଜ୍ଞାନିକ ଅଧିକାରୀମାନଙ୍କୁ ଏହି ସମୟର ସୁଯୋଗକୁ ଗ୍ରହଣ କରିବା ଏବଂ ଆସୁଥିବା ଆହ୍ୱାନ ତଥା ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ ଡକ୍ଟର ପିକେ ମିଶ୍ର।
Tags: #DrPKMishra #BARC #PMOIndia











