ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ମାଟିର ବୀର ସନ୍ତାନ ରବୀନ୍ଦ୍ର କୌଶିକ। ତାଙ୍କ ଜୀବନ କାହାଣୀ ବିଷୟରେ ଜାଣିଲେ କେବଳ ଆଶ୍ଚର୍ଯ୍ୟ ଲାଗିବନି, ତାଙ୍କ ବଳିଦାନ ଆଗରେ ଆପେ ଆପେ ମୁଣ୍ଡ ନଇଁଯିବ।
୧୯୬୫ ଓ ୧୯୭୧ ମସିହା ଯୁଦ୍ଧରେ ହାରିଯିବା ପରେ ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଥିଲା ପାକିସ୍ତାନ। ପଡ଼ୋଶୀ ରାଷ୍ଟ୍ରର ପୂରା ଯୋଜନା ଜାଣିବା ପାଇଁ ଅଣ୍ଡର କଭର ଏଜେଣ୍ଟ ଭାବେ ନବୀ ଅହମ୍ମଦ ସାକୀର ନାଁରେ ପାକିସ୍ତାନ ଯାଇଥିଲେ ରବୀନ୍ଦ୍ର କୌଶିକ।
ସେଠାରେ ପାଠ ପଢ଼ିବା ସହ ପାକିସ୍ତାନ ସେନାରେ ଯୋଗ ଦେଇଥିଲେ ରବୀନ୍ଦ୍ର। ପରେ ବଦଳି ଯାଇଥିଲା ତାଙ୍କର ପୂରା ପରିଚୟ। ରବୀନ୍ଦ୍ର କୌଶିକ ପାଲଟି ଯାଇଥିଲେ ପାକିସ୍ତାନ ସେନାର ମେଜର ନବୀ ଅହମ୍ମଦ ସାକୀର।
ସେ ୧୯୭୯ରୁ ୧୯୮୩ ମସିହା ପର୍ଯ୍ୟନ୍ତ ପ୍ରାୟ ୪ ବର୍ଷ ଧରି ଭାରତକୁ ଅତି ଗୋପନୀୟ ସାମରିକ ତଥ୍ୟ ପଠାଇଥିଲେ। କୁହାଯାଏ, ପାକିସ୍ତାନୀ ସେନାର ଅନେକ ଷଡ଼ଯନ୍ତ୍ର, ରବୀନ୍ଦ୍ରଙ୍କ ଯୋଗୁଁ ଫସର ଫାଟି ଯାଇଥିଲା। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ‘ବ୍ଲାକ୍ ଟାଇଗର’ ନାଁ ଦେଇଥିଲେ। ନିଜ ପରିଚୟକୁ ଗୋପନ ରଖିବା ପାଇଁ ପାକିସ୍ତାନୀ ଝିଅକୁ ବିବାହ ମଧ୍ୟ କରିଥିଲେ ରବୀନ୍ଦ୍ର କୌଶିକ।
କିନ୍ତୁ ସେ ଧରା ପଡ଼ିଯିବା ପରେ ତାଙ୍କ ଅବଶିଷ୍ଟ ଜୀବନ ପାକିସ୍ତାନୀ ଜେଲରେ କଟିଥିଲା। ଶେଷରେ ସେ ଯକ୍ଷ୍ମା ଓ ହୃଦରୋଗରେ ଆକ୍ରାନ୍ତ ହୋଇ ମାତ୍ର ୪୯ ବର୍ଷ ବୟସରେ ପ୍ରାଣ ହରାଇଥିଲେ।
Tags: #Raw #UnderCover #SecretAgency #RavindraKoushik #Spy










