ଭାସ୍କର ପରିଛା

ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ମେଡିକାଲ କଲେଜର ଡାକ୍ତର ପ୍ରଫେସର ଲୋପା ମେହେଟ୍ଟା ଶରୀର ବିଜ୍ଞାନ ବିଭାଗର ମୁଖ୍ୟ ଥିଲେ। ୭୮ ବର୍ଷ ବୟସରେ ସେ ଏକ ‘ଲିଭିଙ୍ଗ୍ ୱିଲ୍’ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଶରୀର ହାର ମାନିବାକୁ ଆରମ୍ଭ କରେ ଏବଂ ସୁସ୍ଥ ହେବାର କୌଣସି ସମ୍ଭାବନା ନଥାଏ, ସେତେବେଳେ କୌଣସି ଚିକିତ୍ସା କରାଯିବା ଉଚିତ୍ ନୁହେଁ। ସେତେବେଳେ କୌଣସି ଭେଣ୍ଟିଲେଟରର ଆବଶ୍ୟକତା ନଥାଏ, କୌଣସି ଟ୍ୟୁବ୍ ଖଞ୍ଜିବା ଦରକାର ପଡ଼ିନଥାଏ ଏବଂ ହସ୍ପିଟାଲକୁ ଅନାବଶ୍ୟକ ଧାଇଁବା ଉଚିତ୍ ନୁହେଁ।
ତାଙ୍କ ମତରେ ମଣିଷ ତା’ର ଶେଷ ମୁହୂର୍ତ୍ତଗୁଡ଼ିକ ଶାନ୍ତିରେ ବିତାଇବା ଉଚିତ୍, ଯେଉଁଠାରେ ଚିକିତ୍ସା ପାଇଁ କୌଣସି ଜିଦ୍ ନଥିବ, ବରଂ ଥିବ କିଛି ବୁଝାମଣା।
ଡାକ୍ତର ଲୋପା କେବଳ ଏହି ୱିଲ୍ ଲେଖିଛନ୍ତି ତାହା ନୁହେଁ, ସେ ଏନେଇ ଏକ ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରକାଶ କରିଛନ୍ତି।
ସେହି ସନ୍ଦର୍ଭରେ ସେ ଯୁକ୍ତି ବାଢ଼ିଛନ୍ତି ଯେ, ମୃତ୍ୟୁକୁ ଏକ ପ୍ରାକୃତିକ, ସମୟ-ନିର୍ଦ୍ଧାରିତ, ଜୈବିକ ପ୍ରକ୍ରିୟା ଭାବରେ ବ୍ୟାଖ୍ୟା କରାଯାଇଛି। ତାଙ୍କ କହିବା ମୁତାବକ, ଆଧୁନିକ ଚିକିତ୍ସା କେବେବି ମୃତ୍ୟୁକୁ ସ୍ୱାଧୀନ ରୂପରେ ଦେଖିପାରି ନାହିଁ। ଆଉ ସେଇଠି ହିଁ ସମସ୍ୟାଟି ରହିଛି।
ସେ କହିଛନ୍ତି, ଆମମାନଙ୍କର ଏହି ଧାରଣା ରହି ଆସିଛି ଯେ, ମୃତ୍ୟୁ ସର୍ବଦା କୌଣସି ନା କୌଣସି ରୋଗ ଯୋଗୁଁ ଘଟେ। ଯଦି ରୋଗର ଚିକିତ୍ସା କରାଯାଏ, ତେବେ ମୃତ୍ୟୁକୁ ଏଡ଼ାଯାଇପାରିବ। କିନ୍ତୁ ଶରୀର ବିଜ୍ଞାନ ଏହାଠାରୁ ବହୁତ ଗଭୀର ଓ ତାକୁ ବୁଝିବା ଢେର୍ ଅସାଧ୍ୟ।
ଡାକ୍ତର ଲୋପା ମେହେଟ୍ଟା ଯୁକ୍ତି କରିଛନ୍ତି ଯେ, ଶରୀର ଏକ ଅନନ୍ତ ଚାଲୁଥିବା ଯନ୍ତ୍ର ନୁହେଁ। ଏହା ଏକ ସୀମିତ ବ୍ୟବସ୍ଥା, ଯାହାର ଏକ ନିର୍ଦ୍ଦିଷ୍ଟ ଜୀବନ-ଶକ୍ତି ଅଛି। ଆମେ ଏହି ଶକ୍ତି କୌଣସି ଗଚ୍ଛିତ ସ୍ରୋତରୁ ବା କୌଣସି ଟାଙ୍କିରୁ ପାଉନା, ବରଂ ସୂକ୍ଷ୍ମ ଶରୀର ମାଧ୍ୟମରେ ପାଇଥାଉ। ଏହି ସୂକ୍ଷ୍ମ ଶରୀରକୁ ସମସ୍ତେ ଅନୁଭବ କରନ୍ତି, କିନ୍ତୁ ଦେଖିପାରନ୍ତି ନାହିଁ। ମନ, ବୁଦ୍ଧି, ସ୍ମୃତି ଏବଂ ଚେତନା ଏସବୁ ବ୍ୟବସ୍ଥାର ସମାହାର ହେଉଛି ଶରୀର। ଏହା ଏକ ଗୁଢ଼ ତତ୍ତ୍ଵ ଏହି ସୂକ୍ଷ୍ମ ଶରୀର ଏକ ମାଧ୍ୟମ, ଯାହା ଜରିଆରେ ଜୀବନ ଶକ୍ତି ଆସି ସମଗ୍ର ଶରୀରରେ ବ୍ୟାପିଥାଏ। ଏହି ଶକ୍ତି ଶରୀରକୁ ଜୀବନ୍ତ ରଖେ।
ନାଡ଼ି, ହୃଦସ୍ପନ୍ଦନ, ପାଚନ ଏବଂ ଚିନ୍ତା କ୍ଷମତା ସବୁକିଛି ଏହା ଉପରେ ନିର୍ଭର କରେ। କିନ୍ତୁ ଏହି ଶକ୍ତି ଅସୀମ ନୁହେଁ। ପ୍ରତ୍ୟେକ ଶରୀରରେ ଏହାର ଏକ ନିର୍ଦ୍ଦିଷ୍ଟ ପରିମାଣ ଥାଏ। ଯେପରି ମେସିନରେ ଏକ ସ୍ଥିର ବ୍ୟାଟେରି ଥାଏ, ଯାହା ଅଧିକ କିମ୍ବା କମ୍ ହୋଇପାରେ ନାହିଁ। ଅନ୍ୟ ଭାବରେ ଦେଖିଲେ, ଚାବି ଯେତେ ଅଧିକ ହୁଏ, ଏହା ସେତେ ଅଧିକ କାମ କରେ। ଠିକ୍ ଖେଳଣା ପରି।
ସେ ଲେଖିଛନ୍ତି ଯେ, ଯେତେବେଳେ ଶରୀରରେ ଥିବା ଏହି ଶକ୍ତିର ଶେଷ ଅଂଶଟି ଖର୍ଚ୍ଚ ହୋଇଯାଏ, ସୂକ୍ଷ୍ମ ଶରୀର ଅଲଗା ହୋଇଯାଏ। ଏହା ସେହି ମୁହୂର୍ତ୍ତ ଯେତେବେଳେ ଶରୀର ସ୍ଥିର ହୋଇଯାଏ ଆଉ ଯାହାକୁ ଆମେ କହୁ ‘ଜୀବନ ମୋ ଶରୀର ଛାଡ଼ି ଯାଇଛି’।
ଏହି ପ୍ରକ୍ରିୟା ରୋଗ ସହିତ କିମ୍ବା କୌଣସି ଶାରୀରିକ ତ୍ରୁଟି ସହିତ ଜଡ଼ିତ ନୁହେଁ। ଏହା ଶରୀରର ନିଜସ୍ୱ ଆଭ୍ୟନ୍ତରୀଣ ଗତିବିଧି, ଯାହା ଗର୍ଭାଶୟରେ ଆରମ୍ଭ ହୁଏ ଏବଂ ଯେତେବେଳେ ଏହା ସମାପ୍ତ ହୁଏ, ମୃତ୍ୟୁ ଘଟେ।
ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ କୋଷରେ, ପ୍ରତ୍ୟେକ ଅଙ୍ଗରେ, ଧୀରେ ଧୀରେ ଏହାର ଜୀବନକାଳ ସମାପ୍ତ ହୁଏ। ଯେତେବେଳେ ସମଗ୍ର ଶରୀରର ଭାଗମାପ ବା କୋଟା ଶେଷ ହୋଇଯାଏ, ସେତେବେଳେ ଶରୀର ଶାନ୍ତ ହୋଇଯାଏ।
ମୃତ୍ୟୁର ସମୟ ଘଣ୍ଟା ଦ୍ୱାରା ମାପ କରାଯାଉଥିବା ଏକ ମୁହୂର୍ତ୍ତ ନୁହେଁ ବୋଲି ଡାକ୍ତର ଲୋପାଙ୍କ ମତ। ଏହା ଏକ ଜୈବିକ ସମୟ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହା ଭିନ୍ନ ଭିନ୍ନ। କାହାର ଜୀବନ ୩୫ ବର୍ଷରେ ସମାପ୍ତ ହୁଏ, ତ କାହାର ୯୦ ବର୍ଷରେ। କିନ୍ତୁ ଉଭୟେ ସେମାନଙ୍କର ସମ୍ପୂର୍ଣ୍ଣ ୟୁନିଟ୍ ନେଇ ବଞ୍ଚନ୍ତି। କେହି ଅପୂର୍ଣ୍ଣ ମରେ ନାହିଁ। ଯଦି ଆମେ ଏହାକୁ ଅସହାୟତା କିମ୍ବା ପରାଜୟ କହିବା ତାହା ଭିନ୍ନ କଥା।
ଡାକ୍ତର ଲୋପା ତାଙ୍କ ପ୍ରବନ୍ଧରେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆଧୁନିକ ଚିକିତ୍ସା ପଦ୍ଧତି ମୃତ୍ୟୁକୁ ସ୍ଥଗିତ ରଖିବା ପାଇଁ ଜିଦ୍ ଧରିଥାଏ, ଏହା କେବଳ ଶରୀରକୁ ନୁହେଁ ବରଂ ସମଗ୍ର ପରିବାରକୁ ସର୍ବସ୍ଵାନ୍ତ କରିଦିଏ। ଆଇସିୟୁରେ ଗୋଟିଏ ମାସର ନିଃଶ୍ୱାସ ପାଇଁ ବର୍ଷ ବର୍ଷର ରୋଜଗାର ଛଡ଼ାଇ ନେଇଯାଏ। ସମ୍ପର୍କୀୟମାନେ ‘ଏବେ ବି ଆଶା ଅଛି’ ବୋଲି କହି ଚାଲିଥାନ୍ତି, କିନ୍ତୁ ରୋଗୀର ଶରୀର ‘ଯଥେଷ୍ଟ ହୋଇଗଲା’ ବୋଲି ଆଗରୁ ହିଁ କହିସାରିଥାଏ।
ସେଥିପାଇଁ ସେ ଲେଖିଛନ୍ତି, ଯେତେବେଳେ ମୋର ସମୟ ଆସିବ, ମୋତେ କେଇଏମ ହସ୍ପିଟାଲକୁ ନେଇଯିବ। ମୁଁ ନିଶ୍ଚିତ ଯେ ସେଠାରେ କୌଣସି ଅନାବଶ୍ୟକ ହସ୍ତକ୍ଷେପ ହେବ ନାହିଁ। ଚିକିତ୍ସା ନାମରେ କୌଣସି ଅନାବଶ୍ୟକ ପଦକ୍ଷେପ ନିଆଯିବ ନାହିଁ। ମୋ ଶରୀରକୁ ଅଟକାଇ ଦିଆଯିବ ନାହିଁ, ବରଂ ଯିବାକୁ ଦିଆଯିବ।
ଏବେ ପ୍ରଶ୍ନ ହେଉଛି, ଆମେ ସମସ୍ତେ କ’ଣ ନିଜ ପାଇଁ କେବେ ଏପରି କିଛି ଭାବିଛୁ? ଆମର ପରିବାର କ’ଣ ଆମର ଏହି ଇଚ୍ଛାକୁ ସମ୍ମାନ କରିବ? ଆମ ଦେଶର ଡାକ୍ତରଖାନାଗୁଡ଼ିକରେ କ’ଣ ଏପରି ଇଚ୍ଛାକୁ ସମ୍ମାନ ମିଳିବ? ନା ପ୍ରତ୍ୟେକ ନିଃଶ୍ୱାସ ପାଇଁ ବିଲ୍ ଏବଂ ପ୍ରତ୍ୟେକ ମୃତ୍ୟୁ ପାଇଁ ଦେୟ ଦେବାକୁ ପଡ଼ିବ?
ଯଦି ଆମେ ଶରୀର ଭିତରେ ମୃତ୍ୟୁକୁ ଏକ ସ୍ଥିର, ଶାନ୍ତ ଏବଂ ସ୍ଵାଭାବିକ ପ୍ରକ୍ରିୟା ଭାବରେ ଦେଖିବାକୁ ଆରମ୍ଭ କରିବା, ତେବେ ହୁଏତ ମୃତ୍ୟୁର ଭୟ କମ୍ ହୋଇଯିବ ଏବଂ ଡାକ୍ତରଙ୍କଠାରୁ ଆଶା ଓ ଅପେକ୍ଷା ମଧ୍ୟ ହ୍ରାସ ପାଇବ।
ସୁତରାଂ, ଆମକୁ ମୃତ୍ୟୁ ସହିତ ଲଢ଼ିବା ବନ୍ଦ କରିବା ଉଚିତ। ଯେତେବେଳେ ଏହା ଆସିବ, ଆମେ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ଓ ସମ୍ମାନର ସହିତ ଯିବାକୁ ଦେବା ଉଚିତ।
ବୁଦ୍ଧଙ୍କ ବାଣୀ: ମୃତ୍ୟୁ ଏକ ପଦୋନ୍ନତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #LivingWill #DrLopaMehta #LegalDocument #MedicalCare









