ଓଡ଼ିଶାଲାଇଭ୍ ବ୍ୟୁରୋ

ରଦ୍ଦ ହୋଇଥିବା ଆରଆଇ, ଏଆରଆଇ, ଅମିନ ଓ ଆଇସିଡିଏସ୍ ସୁପରଭାଇଜର ପ୍ରିଲିମିନାରି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅସନ୍ତା ଅକ୍ଟୋବର ଏବଂ ନଭେମ୍ବର ମାସରେ ଏହି ପରୀକ୍ଷା ହେବ।
କମ୍ପ୍ୟୁଟର ବେସଡ୍ ନିଯୁକ୍ତି ପରୀକ୍ଷା (ସିବିଆରଇ) ମାଧ୍ୟମରେ ପରୀକ୍ଷା ହେବ। ଏ ନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ କରାଯାଇଛି। ପୁଣି ଥରେ ମୂଳରୁ ପରୀକ୍ଷା ଆରମ୍ଭ କରାଯିବ।
ପୂର୍ବରୁ ଆବେଦନ କରିଥିବା ଆଶାୟୀ ପରୀକ୍ଷା ଦେଇପାରିବେ। ମୋଟ ୫ ଲକ୍ଷ ୫୮ ହଜାର ୧୨୮ ଜଣ ଆବେଦନକାରୀ ପରୀକ୍ଷା ଦେବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପରୀକ୍ଷା କରାଯିବ।
ପୂର୍ବରୁ ହୋଇଥିବା ପ୍ରିଲିମନାରି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ ପଦର ୫ ଗୁଣା ପରୀକ୍ଷାର୍ଥୀ ମେନ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିମୟ ନଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା।
ଫଳରେ ରାଜ୍ୟ ସରକାର ପ୍ରିଲିମିନାରି ପରୀକ୍ଷା ଫଳକୁ ରଦ୍ଦ କରିବା ସହ ପୁନର୍ବାର ନୂତନ ଭାବେ ପରୀକ୍ଷା କରିବାକୁ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ପ୍ରିଲିମିନାରି ପରୀକ୍ଷା କରିବାକୁ ହାଇକୋର୍ଟ ଗତ ଜୁଲାଇ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Tags: #RIExam #OdishaSubOrdinateStaffSelectionCommission #AminExam #OdishaGovt








