ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଶନିବାର ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ।
ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ସରିବା ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇ ଆଣିବେ। ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଆଣି ଦେବୀ ଦୁର୍ଗାଙ୍କୁ ସେଠାରେ ବିଜେ କରାଇବେ। ପତି ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନଅରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହେବାର ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି।
ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Tags: #NandaUtsav #SriMandir #LordSriKrishna #Culture #Tradition #Puri

















