ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।
ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଅଗଷ୍ଟ ୨୧ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ଉପରାଷ୍ଟ୍ରପତି ରେସରେ ଅନେକ ନେତା ରହିଥିବା ବେଳେ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ କାହିଁକି ପ୍ରାର୍ଥୀ କଲା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ପିସି ରାଧାକ୍ରିଷ୍ଣନ ତାମିଲନାଡୁ ରାଜନୀତିର ଜଣେ ବଡ଼ ଚେହେରା। ସେ ତାମିଲନାଡୁର ବିଜେପି ଅଧ୍ୟକ୍ଷ ରହିସାରିଛନ୍ତି।
୨୦୨୪ ଜୁଲାଇରୁ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି ପିସି ରାଧାକ୍ରିଷ୍ଣନ। ଏହା ପୂର୍ବରୁ ୨୦୨୩ ଫେବ୍ରୁଆରିରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। କେବଳ ଏତିକି ନୁହେଁ, ପୂର୍ବରୁ ସେ ତେଲେଙ୍ଗାନାର ରାଜ୍ୟପାଳ ଓ ପୁଡୁଚେରୀର ଉପରାଜ୍ୟପାଳ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇଛନ୍ତି।
୧୯୫୭ ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରରେ ଜନ୍ମ ଗ୍ରହଣ କରିଥିଲେ ପିସି ରାଧାକ୍ରିଷ୍ଣନ। ମାତ୍ର ୧୬ ବର୍ଷ ବୟସରୁ ସେ ଆରଏସଏସ ଓ ଜନସଂଘ ସହ ଜଡ଼ିତ ଅଛନ୍ତି। ୧୯୯୮ ମସିହାରେ ତାମିଲନାଡୁ ବିଜେପି ସଭାପତି ଥିଲେ ରାଧାକ୍ରିଷ୍ଣନ।
ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। ତେବେ ୨ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠାରୁ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ।
ଗତ ୨୦୨୨ ଅଗଷ୍ଟ ୮ ତାରିଖରେ ହୋଇଥିଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ। ନିର୍ବାଚିତ ହୋଇ ୨୦୨୨ ଅଗଷ୍ଟ ୧୧ ତାରିଖରେ ଭାରତର ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼।
Tags: #Politics #IndianPolitics #CPRadhakrishnan #JagdeepDhankhar #VicePresidentOfIndia #VicePresidentElection

















