ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିରୋଧୀ ଇଣ୍ଟିଆ ବ୍ଲକ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡିଆ ବ୍ଲକ ପ୍ରାର୍ଥୀ କରିଛି। ରବିବାର ଦିନ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲା ଏନଡିଏ। ଏଥର ଉପରାଷ୍ଟ୍ରପତି ନିର୍ବାଚନ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।

ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ ୧୯୪୬ ମସିହା ଜୁଲାଇ ୮ ତାରିଖରେ ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାର ଆକୁଲା ମାୟଲାରାମ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୧ ମସିହାରେ ସେ ଓସମାନିଆ ବିଶ୍ଵ ବିଦ୍ୟାଳୟରୁ ଆଇନ ପାଠପଢ଼ା ସମାପ୍ତ କରିଥିଲେ।

୧୯୮୮ ମସିହା ଅଗଷ୍ଟ ୮ ତାରିଖରେ ବି ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ହୋଇଥିଲେ। ପରେ ସେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରିଷଦ ଭାବରେ କାର୍ଯ୍ୟ କରିଥିଲେ।

୧୯୯୧ ମସିହାରେ ବି ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟରୁ ଅବସର ନେବା ପରେ ସେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଥିଲେ।

ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। ତେବେ ୨ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠାରୁ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ।

ଗତ ୨୦୨୨ ଅଗଷ୍ଟ ୮ ତାରିଖରେ ହୋଇଥିଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ। ନିର୍ବାଚିତ ହୋଇ ୨୦୨୨ ଅଗଷ୍ଟ ୧୧ ତାରିଖରେ ଭାରତର ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼।

Tags: #Politics #IndianPolitics #JusticeBSudarshanReddy #INDIABloc #JagdeepDhankhar #VicePresidentOfIndia #VicePresidentElection

Comment