ଓଡ଼ିଶାଲାଇଭ୍ ବ୍ୟୁରୋ

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିଛନ୍ତି ରାଜସ୍ଥାନର ଝିଅ ମନିକା ବିଶ୍ୱକର୍ମା। ଜୟପୁରଠାରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ମନିକାଙ୍କୁ ବିଜୟୀ ଘୋଷଣା କରାଯାଇଛି। ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ବିଜେତା ରିୟା ସିଂହ, ମନିକାଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ମନିକା ଏହା ପୂର୍ବରୁ ମିସ ୟୁନିଭର୍ସ ରାଜସ୍ଥାନ ଟାଇଟଲ ହାସଲ କରିଥିଲେ।
ଏହି ପ୍ରତିଯୋଗିତାରେ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର ଅପ୍ ହୋଇଥିବା ବେଳେ ହରିୟାଣାର ମେହେକ ଢିଙ୍ଗରା ଦ୍ଵିତୀୟ ରନର ଅପ ହୋଇଛନ୍ତି। ଏହା ସହ ଆମିଶି କୌଶିକ ତୃତୀୟ ରନର ଅପ୍ ହୋଇଛନ୍ତି।
ଆସନ୍ତା ନଭେମ୍ବର ମାସରେ ଥାଇଲାଣ୍ଡଠାରେ ହେବାକୁ ଥିବା ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ଵ କରିବେ ମନିକା।
ମନିକା ଦିଲ୍ଲୀରେ ରହୁଥିବା ବେଳେ ସେ ହେଉଛନ୍ତି ରାଜସ୍ଥାନ ଶ୍ରୀଗଙ୍ଗାନଗରର ମୂଳ ବାସିନ୍ଦା। ରାଜନୀତି ବିଜ୍ଞାନ ଓ ଅର୍ଥନୀତିର ଶେଷ ବର୍ଷ ଛାତ୍ରୀ ହେଉଛନ୍ତି ମନିକା।
ପୂର୍ବରୁ ୧୯୯୪ ମସିହାରେ ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ ଜିତିଥିଲେ ସୁସ୍ମିତା ସେନ। ଏହାପରେ ୨୦୦୦ ମସିହାରେ ଲାରା ଦତ୍ତା ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ ହାସଲ କରି ଭାରତକୁ ଗୌରବାନ୍ଵିତ କରିଥିଲେ। ୨୦୨୧ ମସିହାରେ ହରନାଜ ସନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟର ଅଧିକାରିଣୀ ହୋଇପାରିଥିଲେ।
Tags: #MissUniverseIndia2025 #ManikaVishwakarma #Rajasthan #India








