ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ବୁଧବାର ଦିନ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଧାକ୍ରିଷ୍ଣନ। ସିପି ରାଧାକ୍ରିଷ୍ଣନଙ୍କ ପ୍ରଥମ ପ୍ରସ୍ତାବକ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଜେପି ନଡ୍ଡା, ଚିରାଗ ପାସଓ୍ଵାନ, ଜିତନ ରାମ ମାଞ୍ଜି, କିରନ ରିଜିଜୁ, ଲଲନ ସିଂ ଏବଂ ଅର୍ଜୁନ ରାମ ମେଘଓ୍ଵାଲାଙ୍କ ସମେତ ଏନଡିଏର ବହୁ ବରିଷ୍ଠ ନେବା ଉପସ୍ଥିତ ରହିଥିଲେ।
ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲା ଏନଡିଏ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ।
ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଅଗଷ୍ଟ ୨୧ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ପିସି ରାଧାକ୍ରିଷ୍ଣନ ତାମିଲନାଡୁ ରାଜନୀତିର ଜଣେ ବଡ଼ ଚେହେରା। ସେ ତାମିଲନାଡୁର ବିଜେପି ଅଧ୍ୟକ୍ଷ ରହିସାରିଛନ୍ତି।
୨୦୨୪ ଜୁଲାଇରୁ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି ପିସି ରାଧାକ୍ରିଷ୍ଣନ। ଏହା ପୂର୍ବରୁ ୨୦୨୩ ଫେବ୍ରୁଆରିରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। କେବଳ ଏତିକି ନୁହେଁ, ପୂର୍ବରୁ ସେ ତେଲେଙ୍ଗାନାର ରାଜ୍ୟପାଳ ଓ ପୁଡୁଚେରୀର ଉପରାଜ୍ୟପାଳ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇଛନ୍ତି।
୧୯୫୭ ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରରେ ଜନ୍ମ ଗ୍ରହଣ କରିଥିଲେ ପିସି ରାଧାକ୍ରିଷ୍ଣନ। ମାତ୍ର ୧୬ ବର୍ଷ ବୟସରୁ ସେ ଆରଏସଏସ ଓ ଜନସଂଘ ସହ ଜଡ଼ିତ ଅଛନ୍ତି। ୧୯୯୮ ମସିହାରେ ତାମିଲନାଡୁ ବିଜେପି ସଭାପତି ଥିଲେ ରାଧାକ୍ରିଷ୍ଣନ।
ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। ତେବେ ୨ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠାରୁ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ।
Tags: #Politics #IndianPolitics #CPRadhakrishnan #NDA #Nomination #VicePresidentOfIndia #VicePresidentElection

















