ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ। ଗୁରୁବାର ଦିନ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଏବଂ ସଞ୍ଜୟ ରାଉତଙ୍କ ସମେତ ସମସ୍ତ ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଦର୍ଶନ ରେଡ୍ଡୀ।
ପ୍ରାର୍ଥିପତ୍ରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ରାଜ୍ୟ ସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଡିଏମକେର ତିରୁଚି ଶିବଙ୍କ ସମେତ ୧୬୦ ଜଣ ସାଂସଦ ପ୍ରସ୍ତାବକ ଏବଂ ସମର୍ଥକ ଭାବରେ ସ୍ଵାକ୍ଷର କରିଛନ୍ତି।
ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ଅଗଷ୍ଟ ୨୧ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅଗଷ୍ଟ ୨୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ଗତକାଲି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ତିମ ଦିନରେ ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥ୍ରିପତ୍ର ଦାଖଲ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ଦୁଇ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ହେଉଛନ୍ତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ। ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ ୧୯୪୬ ମସିହା ଜୁଲାଇ ୮ ତାରିଖରେ ଆନ୍ଧ୍ରପ୍ରଦେଶର ରଙ୍ଗାରେଡ୍ଡୀ ଜିଲ୍ଲାର ଆକୁଲା ମାୟଲାରାମ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୧ ମସିହାରେ ସେ ଓସମାନିଆ ବିଶ୍ଵ ବିଦ୍ୟାଳୟରୁ ଆଇନ ପାଠପଢ଼ା ସମାପ୍ତ କରିଥିଲେ।
୧୯୮୮ ମସିହା ଅଗଷ୍ଟ ୮ ତାରିଖରେ ବି ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ହୋଇଥିଲେ। ପରେ ସେ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରିଷଦ ଭାବରେ କାର୍ଯ୍ୟ କରିଥିଲେ।
୧୯୯୧ ମସିହାରେ ବି ସୁଦର୍ଶନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ସୁପ୍ରିମକୋର୍ଟରୁ ଅବସର ନେବା ପରେ ସେ ଗୋଆର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଥିଲେ।
ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାର ଥିଲା। ତେବେ ୨ବର୍ଷ ପୂର୍ବରୁ ହଠାତ୍ ସେ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠାରୁ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ।
ଗତ ୨୦୨୨ ଅଗଷ୍ଟ ୮ ତାରିଖରେ ହୋଇଥିଲା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ। ନିର୍ବାଚିତ ହୋଇ ୨୦୨୨ ଅଗଷ୍ଟ ୧୧ ତାରିଖରେ ଭାରତର ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼।
Tags: #Politics #IndianPolitics #JusticeBSudarshanReddy #INDIABlock #Nomination #VicePresidentOfIndia #VicePresidentElection

















