ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ପରିବେଶକୁ ସବୁଜ ସୁନ୍ଦର କରିବା ତଥା ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଏସଏନ ମହାନ୍ତି ଗ୍ରୁପର ଆର୍ଥିକ ସହାୟତାରେ ଲେଡିଜ ଫୋରମ ପକ୍ଷରୁ ବିଦ୍ୟାମନ୍ଦିରକୁ ୭୫ ଇଞ୍ଚର ଏକ ସ୍ମାର୍ଟ ବୋର୍ଡ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୟୁସିସିଆଇଏଲର ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାମନ୍ଦିରକୁ ସ୍ମାର୍ଟ ବୋର୍ଡ ପ୍ରଦାନ କରିଥିଲେ।
ଏହି ଅବସରରେ ଡକ୍ଟର ପ୍ରବୋଧ ମହାନ୍ତି କହିଥିଲେ, ସ୍ମାର୍ଟ ବୋର୍ଡ ଦ୍ଵାରା ଛାତ୍ରଛାତ୍ରୀମାନେ ଡିଜିଟାଲ ଶିକ୍ଷାର ସୁବିଧା ପାଇପାରିବେ। ଏହା ସହ ସେମାନେ ଆଧୁନିକ ଶିକ୍ଷା ପଦ୍ଧତି ସହ ତାଳ ଦେଇ ଆଗକୁ ବଢ଼ିପାରିବେ।
ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ, “ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ। ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ। ତେଣୁ ବିଦ୍ୟାଳୟରୁ ହିଁ ସେମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଏବଂ ବୃକ୍ଷ ରୋପଣର ଗୁରୁତ୍ଵ ସମ୍ପର୍କରେ ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି।”

କାର୍ଯ୍ୟକ୍ରମରେ ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା ଯୋଗଦେଇ କହିଥିଲେ, “ପରିବେଶ ସନ୍ତୁଳନ କରିବାରେ ଗଛର ଅନେକ ଯୋଗଦାନ ରହିଛି। ସୁସ୍ଥ ପରିବେଶ ପାଇଁ ଆମ ସମସ୍ତଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବାର ଆବଶ୍ୟକତା ରହିଛି। କେବଳ ଗଛ ଲଗାଇଦେଲେ ହେବ ନାହିଁ, ଗଛଟିର ଯତ୍ନ ନେଇ ତାକୁ ବଡ଼ କରିବା ପର୍ଯ୍ୟନ୍ତ ତା’ର ଦାୟିତ୍ଵ ନେବା ମଧ୍ୟ ଜରୁରୀ।”
ୟୁସିସିଆଇଏଲ ଲେଡିଜ ଫୋରମର ସମ୍ପାଦିକା ଅର୍ଚ୍ଚନା ମହାପାତ୍ର କହିଥିଲେ, “ଆମ ଜୀବନରେ ଗଛର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ପରିବେଶ ସନ୍ତୁଳନ ପାଇଁ ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ଫୋରମର ଯୋଜନା ରହିଛି।”
ଲେଡିଜ ଫୋରମ ସଦସ୍ୟା ସବିତା ଦାଶ, ସ୍ୱର୍ଣ୍ଣପ୍ରଭା ସାମଲ, ଶ୍ୱେତା ଦାଶ, ଶ୍ୱେତପଦ୍ମା ରଥ, ରକ୍ତିମା ରଥ, ରୀତା ପଟ୍ଟନାୟକ ଏବଂ ସଙ୍ଗୀତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ସମ୍ପାଦିକା ଅର୍ଚ୍ଚନା ମହାପାତ୍ର ସଭା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷା ଶ୍ୱେତପଦ୍ମା ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା, ସଭାପତି ଶ୍ରୀନିବାସ ମାନସିଂହ, ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ୟୁସିସିଆଇଏଲ ଲେଡିଜ ଫୋରମର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ।
Tags: #UCCILLadiesForum #SaraswatiSishuVidyaMandir #Khandagiri #Bhubaneswar #PlantationProgramme


















