ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଛନ୍ତି ପାର୍ବତୀ ନନ୍ଦନ। ଲଡ଼ୁ ପ୍ରିୟ ପ୍ରଭୁ ଗଣପତିଙ୍କୁ ସ୍ଵାଗତ କରୁଛନ୍ତି ସାରା ଦେଶବାସୀ। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ଶ୍ରୀ ଗଣେଶଙ୍କ ନିକଟରେ ଭୋଗ ଲାଗି ପାଇଁ ହୋଇଛି ସ୍ଵତନ୍ତ୍ର ପ୍ରସ୍ତୁତି। ଗଜାନନଙ୍କ ପସନ୍ଦର ମୋଦକ ଲଡ଼ୁ ଭୋଗ ଲଗାଯାଉଛି।
ଶ୍ରୀ ଗଣେଶଙ୍କ ପୂଜା ଆସିଲେ ଲଡ଼ୁକୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। କେତେବେଳେ କେଉଁଠି କିଏ ବୃହତ ଆକାରର ଲଡ଼ୁ ତିଆରି କରି ରେକର୍ଡ କରିଲାଣି ତ କେଉଁଠି ଲଡ଼ୁର ନିଲାମ ଟଙ୍କାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା।
ପୂଜାରେ ଗଣେଶଙ୍କ ପାଖରେ ଗୋଟିଏ ସୁନ୍ଦର, ସୁଆଦିଆ ଲଡ଼ୁ ରଖିବାର ପରମ୍ପରା ରହିଆସିଛି। ବାହାର ରାଜ୍ୟରେ ୧୦ଦିନ ଧରି ଏହି ଉତ୍ସବ ପାଳନ କରାଯାଉଥିବାବେଳେ ଗଣେଶଙ୍କ ଲଡ଼ୁକୁ ନେଇ ସ୍ୱତନ୍ତ୍ର ପରମ୍ପରା ରହିଆସିଛି।
ପୂଜାରେ ଗଣେଶଙ୍କୁ ଲଡ଼ୁ ପ୍ରସାଦ ଆକାରରେ ପ୍ରଦାନ କରାଯାଇଥାଏ। ନରମ ମୋଦକ କିମ୍ବା ଲଡ଼ୁ ଗଣେଶଙ୍କ ବହୁତ ପସନ୍ଦର ଭୋଜନ ବୋଲି କୁହାଯାଏ। ଏହା ପଛରେ ଗୋଟିଏ ପ୍ରସିଦ୍ଧ କାହାଣୀ ରହିଛି।

କିମ୍ବଦନ୍ତୀ ଅନୁସାରେ, ଥରେ ଗଣେଶ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ସହ ଯୁଦ୍ଧ କରିଥିଲେ। ଏହି ଯୁଦ୍ଧରେ ଗଣେଶଙ୍କର ଦାନ୍ତ ଭାଙ୍ଗିଯାଇଥିଲା। ଏଥିପାଇଁ ଖାଦ୍ୟ ଖାଇବା ସମୟରେ ଗଣେଶଙ୍କୁ କଷ୍ଟ ହେଉଥିଲା।
ଏଥିପାଇଁ ଗଣେଶଙ୍କ ଭୋଜନ ପାଇଁ କୋମଳ ମୋଦକ ଓ ଲଡ଼ୁ ପ୍ରସ୍ତୁତ କରାଯାଇଥିଲା। ଯାହା ଖାଇବା ତାଙ୍କ ପାଇଁ ସହଜସାଧ୍ୟ ହୋଇପାରିଥିଲା। ସେହି ସମୟରୁ ଗଣେଶଙ୍କ ପ୍ରିୟ ଭୋଜନ ଭାବରେ କୋମଳ ମୋଦକ ଓ ଲଡ଼ୁ ତାଙ୍କର ପ୍ରିୟ ହୋଇଯାଇଥିଲା।
ଦେଶର ବିଭିନ୍ନ ଅଞ୍ଚଳରେ ଲଡ଼ୁ ନିଲାମ ହେବାର ଖବର ଚର୍ଚ୍ଚା ହୋଇଥାଏ। ଗୋଟିଏ ଗୋଟିଏ ଲଡ଼ୁର ମୂଲ୍ୟ ୧୦ ରୁ ୧୫ଲକ୍ଷ ଟଙ୍କାରେ ନିଲାମ ହେବାର ମଧ୍ୟ ନଜିର ରହିଛି।
Tags: #ShreeGaneshPuja #Culture #Tradition #ModakLadoo #Celebration

















