ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ବିଦେଶରୁ ମଧ୍ୟ ଛୁଟିଛି ଶୁଭେଚ୍ଛାର ସୁଅ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଲେଖିଛନ୍ତି, “କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା। କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ଵ। ଏହା ଆମ ବନ୍ଧୁତ୍ଵ ଓ ଆତ୍ମୀୟତାର ପ୍ରତୀକ”।
ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରୁ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନୂଆଁଖାଇର ଶୁଭକାମନା ଜଣାଇଛନ୍ତି। ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଓଡ଼ିଆରେ ଏକ ଲେଖା ପୋଷ୍ଟ କରିଛନ୍ତି।
ସେ ଲେଖିଛନ୍ତି, “ସମସ୍ତଙ୍କୁ ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଆମର ଗଭୀର କୃତଜ୍ଞତାର ସ୍ମରଣ କରାଏ, ଯାହାଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କର ଭରଣପୋଷଣ କରେ। ପ୍ରତିଟି ଘରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ବିରାଜମାନ କରୁ। ନୂଆଁଖାଇ ଜୁହାର୍।”
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନୂଆଁଖାଇ ସମସ୍ତଙ୍କ ମନରେ ନୂଆ ଆଶା ସଞ୍ଚାର କରୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
Tags: #Nuakhai #Festival #Celebration #WesternOdisha #PresidentOfIndia #PMNarendraModi #CMMohanCharanMajhi


















