ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ଏବଂ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ “ରାଜଭାଷା ହିନ୍ଦୀ କର୍ମଶାଳା ସହ ପୋଷଣ ମାସ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହିନ୍ଦୀର ପ୍ରଚାର ପ୍ରସାର ସହିତ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଏବଂ ପୋଷଣ ମାସ ପରିପ୍ରେକ୍ଷୀରେ ସାମାଜିକ ସଚେତନତାକୁ ବୃଦ୍ଧି କରିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡକ୍ଟର ସ୍ନେହଲତା ଦାଶ ଏବଂ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ସହାୟକ ନିର୍ଦ୍ଦେଶକ କିର୍ତ୍ତୀ ସିଂ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।
“ହିନ୍ଦୀ କେବଳ ଏକ ମାଧ୍ୟମ ନୁହେଁ, ବରଂ ଦେଶର ସାମାଜିକ ଏବଂ ସାଂସ୍କୃତିକ ଏକତାର ପ୍ରତୀକ। ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରୟୋଗ ଦ୍ୱାରା ସାଧାରଣ ନାଗରିକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପିତ ହୁଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ ସଚେତନତା କାର୍ଯ୍ୟକ୍ରମକୁ ହିନ୍ଦୀ ସହିତ ସ୍ଥାନୀୟ ଭାଷାରେ ଉପସ୍ଥାପନ କରିଲେ, ସାଧାରଣ ଲୋକଙ୍କ ପାଇଁ ବୁଝିବା ସହଜ ହୁଏ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପ୍ରତ୍ୟେକ କାର୍ଯ୍ୟରେ ଭାଷାର ସମନ୍ୱୟକୁ ସୁନିଶ୍ଚିତ କରାଯାଉଛି”, କହିଛନ୍ତି ଅଖିଳ କୁମାର ମିଶ୍ର।
“ହିନ୍ଦୀ ହେଉଛି ଦେଶର ସାମାଜିକ, ସାହିତ୍ୟିକ ଓ ପ୍ରଶାସନିକ ଏକତାର ସେତୁ। ଏହା କେବଳ ଏକ ଭାଷା ନୁହେଁ ବରଂ ଜନମାନସର ଭାବନା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ। ପ୍ରଶାସନିକ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି ପାଇଲେ ସ୍ୱଚ୍ଛତା ଓ କାର୍ଯ୍ୟକୁଶଳତା ବଢ଼େ। ସାଧାରଣ ଲୋକଙ୍କ ସହ ସଂପର୍କ ଅଧିକ ସହଜ ଓ ପ୍ରଭାବଶୀଳ ହୁଏ”, କହିଛନ୍ତି ଡକ୍ଟର ସ୍ନେହଲତା ଦାଶ।

କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ହିନ୍ଦୀର ଗୁରୁତ୍ୱ ଓ ସରକାରୀ କାମରେ ଏହାର ପ୍ରୟୋଗ ଏବଂ ପୋଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରାସଙ୍ଗିକ ବିଷୟରେ ଆଲୋକପାତ କରିଥିଲେ।
“ନାରୀ ସୁସ୍ଥ ହେବେ ତେବେ ସମାଜ ସୁସ୍ଥ ହେବ। ସୁସ୍ଥ ଶିଶୁମାନେ ହେଉଛନ୍ତି ଆଗାମୀ ଭାରତର ମଜବୁତ ଆଧାର। ଏହାଦ୍ୱାରା ରାଜ୍ୟରେ ପୋଷଣ ସୂଚକାଙ୍କରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପୋଷଣ ମାସ କେବଳ ଜନସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ଜାତୀୟ ଉନ୍ନତିର ଅବିଚ୍ଛେଦ୍ୟ ଅଂଶବିଶେଷ” କହିଛନ୍ତି ସ୍ଵୟଂପ୍ରଭା ମହାନ୍ତି।
ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡକ୍ଟର ଅଭିଷେକ ମିଶ୍ର, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଓ ସହାୟକ ନିର୍ଦ୍ଦେଶକ ତପନ କୁମାର ମହାରଣା, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହାୟକ ନିର୍ଦ୍ଦେଶକ ମନମୋହନ ପାଢ଼ୀ, ଜିତେନ୍ଦ୍ର ପ୍ରଧାନ ଓ ପାର୍ଥସାରଥୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
Tags: #HindiWorkshop #PoshanMaah #IBMinistry #Bhubaneswar








