ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣେ ଭିନ୍ନ ଅଭିନେତା ଅଶ୍ରୁମୋଚନ ମହାନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି।

‘ଚକା ଆଖି ସବୁ ଦେଖୁଛି’, ‘ଉଦଣ୍ଡୀ ସୀତା’, କାଶିଆ କପିଳା’ ଆଦି ଅଶ୍ରୁମୋଚନ ମହାନ୍ତିଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ସିନେମା। ଫିଲ୍ମ ସହ ଅନେକ ମେଗା ଧାରାବାହିକରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଅଭିନୟ ସହ ଯାତ୍ରା ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି।

ପିଲାଟି ଦିନରୁ ଅଭିନୟ ପ୍ରେମରେ ପଡ଼ିଥିଲେ ଅଶ୍ରୁମୋଚନ। କିନ୍ତୁ ବଡ଼ ହେବା ପରେ ଭାବିଲେ ଭାରତୀୟ ସେନାରେ ଯୋଗ ଦେବେ। ତେବେ ଅଭିନୟ ନିଶା ତାଙ୍କୁ ପୁଣି ପୂର୍ବ ସ୍ଵପ୍ନକୁ ଫେରାଇ ନେଇଥିଲା। ନିଶା କେବେ ପେସାରେ ପରିଣତ ହେଇଗଲା ଜଣାପଡ଼ି ନଥିଲା ବୋଲି କୁହନ୍ତି ଅଶ୍ରୁମୋଚନ ମହାନ୍ତି।

ସିନେମାରେ କ୍ୟାରିୟର କରିବା ପାଇଁ ସେତେବେଳେ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ। ଭୁବନେଶ୍ୱରରେ ଚଳିବା ପାଇଁ କେତେବେଳେ ହଳଦୀ ବ୍ୟବସାୟ କରିବାକୁ ପଡ଼ିଛି ତ କେତେବେଳେ ଠୁଙ୍ଗା ବିକିବାକୁ ପଡ଼ିଛି ତାଙ୍କୁ।

‘ଛୋଟ ମୋର ଗାଁ ଟି’ ଓଡ଼ିଶାର ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମର ଉପସ୍ଥାପନ କରିବାର ସୁଯୋଗ ମିଳିଥିଲା ଅଶ୍ରୁମୋଚନ ମହାନ୍ତିଙ୍କୁ। ଏହି ସୋ’ ପାଇଁ ଗାଁ ଗାଁରେ ପରିଚିତ ହୋଇଥିଲେ ସେ। ‘ଛୋଟ ମୋର ଗାଁ ଟି’ ପାଇଁ ଅଶ୍ରୁମୋଚନ ମହାନ୍ତିଙ୍କୁ ମିଳିଥିଲା ନୂଆ ପରିଚୟ।

‘‘ସିନେମା ଇଣ୍ଡଷ୍ଟ୍ରିରେ ମୋର କ୍ୟାରିୟର ମେକଅପ୍ ମ୍ୟାନ ଭାବରେ ଆରମ୍ଭ ହୋଇଥିଲା। କଳାକାରଙ୍କୁ ମେକଅପ୍ ଦେଉ ଦେଉ ନିଜେ ଅଭିନେତା ପାଲଟିଗଲି’’, ପୁରୁଣା ସ୍ମୃତିକୁ ମନେ ପକାଇ ଏଭଳି କହିଛନ୍ତି ଅଭିନେତା ଅଶ୍ରୁମୋଚନ ମହାନ୍ତି।

Tags: #OllywoodActor #EmotionalJourney #OdiaCinema #TearsOfSuccess #AshrumochanMohanty

Comment