ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନାଜଳ୍ପନାର ଅନ୍ତ ହେଲା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି।
ଅକ୍ଟୋବର ୧୬ ତାରିଖରେ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ନୂଆପଡ଼ାରେ ବିଶାଳ ସମାବେଶ କରିବ ବିଜେପି। ପ୍ରାର୍ଥିପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ସର୍ବପ୍ରଥମେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି କାହାକୁ ପ୍ରାର୍ଥୀ କରିବ ମାନସ ମନ୍ଥନ ଚାଲିଛି।
ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଆଶା ରଖିଥିଲା ବିଜେଡି। କିନ୍ତୁ ସେ ବିଜେପିରେ ମିଶିବା ପରେ ବିଜେଡିର ସବୁ ଅଙ୍କ ଭୁଲ ହୋଇଗଲା। ଏବେ କାହାକୁ ପ୍ରାର୍ଥୀ କରିବ ବିଜେଡି ବିଚାରବିମର୍ଶ ଚାଲିଛି।
ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ପଡ଼ିବ ଭୋଟ। ଅକ୍ଟୋବର ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ଗତ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।
Tags: #Nuapada #NuapadaAssemblyByElection #JayDholkia #BJP #Politics #Odisha

















