ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଚିଙ୍ଗୁଡ଼ି ଖୋଳପାରୁ ପରିବେଶ ଅନୁକୂ ଜୈବ ଉତ୍ପାଦ ପ୍ରସ୍ତୁତ କରିବା ପେଟେଣ୍ଟ ପାଇଛନ୍ତି ବାଲେଶ୍ୱର ଜିଲ୍ଲାର ଦୁଇଜଣ ଗବେଷକ ଡକ୍ଟର ସିଦ୍ଧାର୍ଥ ପତି ଏବଂ ଡକ୍ଟର ଦେବବ୍ରତ ପଣ୍ଡ।

ଏହି ପରିବେଶ ଅନୁକୂଳ ବାୟୋ-ଉତ୍ପାଦ ଔଷଧ ଶିଳ୍ପରେ ଟାବଲେଟ୍, କ୍ୟାପସୁଲ୍ ଆବରଣ ତିଆରି ପାଇଁ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି।

‘ସର୍କୁଲାର ଇକୋନୋମି’ ଓ ‘ୱେଷ୍ଟ୍ ଟୁ ୱେଲଥ୍’ ମିଶନରେ ପ୍ରେରିତ ଏକ ଷ୍ଟାର୍ଟଅପର ସତ୍ଵାଧିକାରୀ ଡକ୍ଟର ସିଦ୍ଧାର୍ଥ ପତି କହିଛନ୍ତି, “ଏକଦା ପରିବେଶର ବୋଝ ବୋଲି କୁହାଯାଉଥିବା ଚିଙ୍ଗୁଡ଼ି ଖୋଳପା ଏବେ ଗ୍ଲୋବାଲ ବାୟୋମେଡିକାଲ, ଔଷଧ ଜଗତ ତଥା କୃଷି ଓ ଶିଳ୍ପ ଶ୍ରେଣୀ ପାଇଁ ମୂଲ୍ୟବାନ କଞ୍ଚାମାଲ ଭାବରେ ପରିଗଣିତ ହେବ।”

ତାଙ୍କର ଷ୍ଟାର୍ଟଅପ୍ ସମୁଦ୍ର ପ୍ରକ୍ରିୟାକରଣର ଅବଶେଷ, ବିଶେଷକରି ଚିଙ୍ଗୁଡ଼ି ଖୋଳପାରେ ମହଜୁଦ ଥିବା କାଇଟିନ୍, ଚାଇଟେଜେନ ଓ କୃଷି ଜୈବ-ଷ୍ଟିମୁଲେଣ୍ଟସକୁ ଜୈବ ଉତ୍ପାଦରେ ପରିଣତ କରେ।

ସେ ଆହୁରି କହିଛନ୍ତି, “ଚାଇଟୋଜେନ ଏକ ବହୁପ୍ରୟୋଗୀ ବାୟୋପଲିମର। ଏହାର ସୁରକ୍ଷା ଓ ବିଶେଷ ଜୈବ ଗୁଣାବଳୀ ଏହାକୁ ଔଷଧୀୟ କ୍ଷମତା ପ୍ରଦାନ କରିଥାଏ। ଏହା ବିଭିନ୍ନ ଔଷଧ ତିଆରି କାର୍ଯ୍ୟରେ ସହାୟକ ହେବା ସହିତ ହାଡ଼ ପ୍ରତ୍ୟାରୋପଣ, ଟୀକା ଓ ବାୟୋସେନସର୍, ଜଳ ଶୁଦ୍ଧିକରଣ, କୃଷି, ସୌନ୍ଦର୍ଯ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏକ ମୁଖ୍ୟ ଉପାଦାନରେ ପରିଣତ ହୋଇଛି।”

ଭାରତକୁ ଜୈବ ଉତ୍ପାଦ ଓ ବାୟୋ-ଆଧାରିତ ସାମଗ୍ରୀର ବିଶ୍ୱ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ସେ କହିଛନ୍ତି।

Tags: #EcoFriendlyBioProduct #PrawnShell #Chitosan #Patent #Balasore

Comment