ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ଭୁବନେଶ୍ୱରର ୟୁନିଟ୍ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ସୁଭଦ୍ରା ଶକ୍ତି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩୦୦ରୁ ଊର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ। ମେଳାରେ ୫୦ଟି ଖାଦ୍ୟ ଷ୍ଟଲର ବ୍ୟବସ୍ଥା ରହିଛି।

କେବଳ ଓଡ଼ିଶା ନୁହେଁ ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ଆସାମ, ପଶ୍ଚିମ ବଙ୍ଗ, ଛତିଶଗଡ଼, ଗୁଜରାଟ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଗୋଆରୁ ନିମନ୍ତ୍ରିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରିବେ।

“ସୁଭଦ୍ରା ଶକ୍ତି ମେଳା କେବଳ କ୍ରୟ ବିକ୍ରୟର ମଞ୍ଚ ନୁହେଁ, ବରଂ ନାରୀମାନଙ୍କର ଆତ୍ମବିଶ୍ଵାସ, ସଫଳତା ଓ ସାମାଜିକ ସଶକ୍ତିକରଣର ଏକ ଉଜ୍ଜ୍ଵଳ ପ୍ରତୀକ”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ମେଳାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହେବ। ଏହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ଵାର ଖୋଲିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

୧୨ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ଵାଦର ଅନୁପମ ସଂଗମ ଦେଖିବାକୁ ମିଳିବ। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ।

ମେଳାରେ ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ’ର ଆୟୋଜନ କରାଯିବ। ୫୦ଟି ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଲବ୍ଧ ରହିବ। ଏହି ମେଳା ଦିନ ୧୧ରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ।

Tags: #SubhdraShaktiMela2025 #OdishaEvents #NovemberFest #WomenEmpowerment

Comment