ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ବୁଧବାର ସକାଳୁ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କ ସୁନାବେଶ ନୀତି ସମ୍ପନ୍ନ କରିଥିଲେ। ଶ୍ରୀବିଗ୍ରହମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇଛି।

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ପଞ୍ଚକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା। ପଞ୍ଚକର ଶେଷ ଦିନରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ତଥା କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୪୫ ପ୍ଲାଟୁନ ପୋଲିସ ଫୋର୍ସ, ୭ ଜଣ ଅତିରିକ୍ତ ଏସପି, ୨୫ ଜଣ ଡିଏସପି, ୪୯ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି।

ଶ୍ରୀକ୍ଷେତ୍ରରେ ବର୍ଷକୁ ମହାପ୍ରଭୁଙ୍କର ସର୍ବମୋଟ୍ ୬ ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ ହେଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ଅବସରରେ ସୁନାବେଶ ବେଶରେ ସଜ୍ଜିତ ହୁଅନ୍ତି।

Tags: #KartikaPurnima #PanchakBrata #SunaBesa #Culture #Shreemandir #Puri

Comment