ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ‘ଅବନୀ ବରାଳ ସାହିତ୍ୟ ସମ୍ମାନ’
  • ଅଭିନେତ୍ରୀ ସରସ୍ଵତୀ ଦେବୀ ପାଇଲେ ‘ଆଦରମଣି ମଞ୍ଚ କଳା ସମ୍ମାନ’
  • ମଞ୍ଚସ୍ଥ ହେଲା ନାଟକ ‘ମଞ୍ଚକନ୍ୟାର କାହାଣୀ’

ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ‘ଶ୍ରଦ୍ଧାଦିବସ’। ଏହି ଅବସରରେ ସାହିତ୍ୟିକ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ‘ଅବନୀ ବରାଳ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି। ସେହିପରି ପ୍ରବୀଣା ଅଭିନେତ୍ରୀ ସରସ୍ଵତୀ ଦେବୀଙ୍କୁ ‘ଆଦରମଣି ମଞ୍ଚ କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ସ୍ଵର୍ଗତ ଅବନୀ ବରାଳ ଏବଂ ତାଙ୍କ ପତ୍ନୀ ସ୍ଵର୍ଗତ ଆଦରମଣି ବରାଳଙ୍କ ସ୍ମୃତିରେ ଅନୁଷ୍ଠିତ ‘ଶ୍ରଦ୍ଧାଦିବସ’ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଶାରେ ଶିକ୍ଷା ଆନ୍ଦୋଳନକୁ ଆଗୁସାର କରାଇବା ସହିତ ସାହିତ୍ୟ, ସମାଜସେବା ଓ ମୂଲ୍ୟବୋଧ ରାଜନୀତି କ୍ଷେତ୍ରରେ ଅବନୀ ବରାଳଙ୍କ ଉଲ୍ଲେଖନୀୟ ଭୂମିକା ସ୍ମରଣୀୟ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ଲେଖିକା ଡକ୍ଟର ସଂଘମିତ୍ରା ମିଶ୍ର ଓ ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ଲେଖକ ନିରଞ୍ଜନ ସାହୁ ଯୋଗଦେଇ ସ୍ଵର୍ଗତ ଅବନୀ ବରାଳଙ୍କ କୃତି ଏବଂ କୀର୍ତ୍ତୀ ସମ୍ପର୍କରେ ଆଲୋଚନା କରିଥିଲେ।

ଡକ୍ଟର ଅମୀୟ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସ୍ଵର୍ଗତ ଅବନୀ ବରାଳଙ୍କ ପୁଅ ଅଧ୍ୟାପକ ଆଭାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସଭା ଶେଷରେ ସ୍ଵର୍ଗତ ଅବନୀ ବରାଳଙ୍କ ଲିଖିତ ଉପନ୍ୟାସ ‘ମଞ୍ଚକନ୍ୟାର କାହାଣୀ’ର ରୂପାନ୍ତରିତ ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ନାଟକ ସ୍ଵର୍ଗତ ବରାଳଙ୍କ ଝିଅ ଆହୁତି ବରାଳଙ୍କ ଦ୍ୱାରା ରୂପାନ୍ତରିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନିର୍ଦ୍ଦେଶକ ଦେବାନନ୍ଦ ସୋନି।

Tags: #AbaniBaralFoundation #ShradhaDivas #Bhubaneswar

Comment