ଓଡ଼ିଶାଲାଇଭ୍ ବ୍ୟୁରୋ

(ନୂଆଦିଲ୍ଲୀ): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିବା ସହ ଏହାର ଆକର୍ଷଣୀୟ ସାଜସଜ୍ଜା ଓ ନିଖୁଣ କାରିଗରିକୁ ପ୍ରଶଂସା କରିଥିଲେ।
“ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ବହୁତ ଆକର୍ଷଣୀୟ ହୋଇଛି। ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ସହ ବିକଶିତ ଓଡ଼ିଶାର ଚିତ୍ର ଏହି ମଣ୍ଡପରେ ଦେଖିବାକୁ ମିଳୁଛି। ଏଠାରେ ଓଡ଼ିଶାର ଅନନ୍ୟ ହସ୍ତତନ୍ତ ତଥା ହସ୍ତଶିଳ୍ପ ସାମଗ୍ରୀର ଅଧିକ ଚାହିଦା ରହିଛି। ତା’ଛଡ଼ା କୋରାପୁଟ କଫି ଏବଂ ଶ୍ରୀ ଅନ୍ନରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ବ୍ୟବସାୟ ମଧ୍ୟ ଭଲ ହେଉଛି,’’ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ।
‘ଓଡ଼ିଶା ମଣ୍ଡପ’ ପରିଦର୍ଶନ ଅବସରରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ। ଏଥିରେ ଭାଗ ନେଇଥିବା ରାଜ୍ୟର ବୁଣାକାର ଓ ଶିଳ୍ପୀମାନଙ୍କୁ ସେ ଉତ୍ସାହିତ କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଓଡ଼ିଶା ମଣ୍ଡପର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସେହିପରି ତ୍ରିପୁରାର ଶିଳ୍ପ ମନ୍ତ୍ରୀ ସାନ୍ତାନା ଚକମା ଏବଂ ମଣିପୁରର ଅତିରିକ୍ତ ଶାସନ ସଚିବ ଅନୁରାଗ ବାଜପେୟୀ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରି ଏହାର ସୁନ୍ଦର କାରୁକାର୍ଯ୍ୟ ଓ କଳା କାରିଗରିକୁ ପ୍ରଶଂସା କରିଥିଲେ।

ନୂଆଦିଲ୍ଲୀରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖ ଯାଏଁ ଚାଲିବ। ଏଥର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଥିମକୁ ନେଇ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଛି।
ଏଥର ଓଡ଼ିଶା ମଣ୍ଡପର ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଆକୃତିର ତୋରଣ ଶୋଭାପାଉଛି। ସେହିପରି ଆଉ ଏକ ପ୍ରବେଶପଥରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଉଥିବା ‘ବୋଇତ’ ଆକୃତିର ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ଓଡ଼ିଶା ମଣ୍ଡପ ଭିତରେ ଧଉଳିର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରି ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦେଶ ବିଦେଶର ଦର୍ଶକଙ୍କୁ ଆକର୍ଷିତ କରୁଛି।
ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥା ପକ୍ଷରୁ ମୋଟ ୨୮ଟି ଷ୍ଟଲ୍ ଖୋଲାଯାଇଛି। ଏଥିରେ ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଏବଂ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଛି।
ସେହିପରି ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ ଆଉ ଏକ ଆକର୍ଷଣ ପାଲଟିଛି। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ତାରକସି, ସବାଇ ଘାସ ଓ ଲାଖରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ପ୍ରଦର୍ଶନ କରୁଛନ୍ତି।
Tags: #OdishaPavilion #IITF2025 #DeputyCMKVSinghDeo #OdishaMandap #IndiaInternationalTradeFair


















