ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଯୋଗୁଁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ବହୁ ସରକାରୀ ଜମି ଏବେ ମଧ୍ୟ ଜବର ଦଖଲରେ ରହିଛି। ଏଥିପାଇଁ ସରକାର ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଜରିଆରେ ସମସ୍ତ ଜମିଜମା ସମସ୍ୟାର ସମାଧାନ, ଜବରଦଖଲ ଜମିକୁ ସରକାର ଅଧିନକୁ ଆଣିବା, ଭୂମିହୀନଙ୍କୁ ଘର ଡିହ ଯୋଗାଇବା ସହ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଇନରେ ବ୍ୟାପକ ସଂଶୋଧନ ଆଣିବେ ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି।
ମଙ୍ଗଳବାର ଦିନ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ଦୁଇଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଥିଲେ। ସମ୍ମିଳନୀର ପ୍ରଥମ ଅଧିବେଶନରେ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା, ରାଜସ୍ୱ ରେକର୍ଡର ଆଧୁନିକୀକରଣ, ଭୂ-ଅଧିଗ୍ରହଣରେ ରହୁଥିବା ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଭୂ-ଆଇନରେ ଅନେକ ସଂସ୍କାର ଆଣିଛନ୍ତି। ଜମିପଟ୍ଟା ସଂଶୋଧନ ପ୍ରକ୍ରିୟାରେ ସରଳୀକରଣ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରଖିଛନ୍ତି। ଏଥିପାଇଁ ଆବଶ୍ୟକ ଜମି ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ତେଣୁ ଜବରଦଖଲ ହୋଇଥିବା ସମସ୍ତ ସରକାରୀ ଜମି ଉଚ୍ଛେଦ କରାଯିବ। ବିଭିନ୍ନ ପ୍ରକଳ୍ପ ଯୋଗୁଁ ଜମି ଅଧିଗ୍ରହଣରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରାଜ୍ୟର ବିକାଶ ପାଇଁ ଜିଲ୍ଲାଗୁଡ଼ିକୁ ଦିଆଯାଉଥିବା ପାଣ୍ଠିର ସଠିକ ବିନିଯୋଗ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଜିଲ୍ଲାକୁ ବହୁମୁଖୀ ଆଶ୍ରୟ ସ୍ଥଳର ରକ୍ଷଣାବେକ୍ଷଣ ଓ ସର୍ବନିମ୍ନ ସୁବିଧା ପାଇଁ ଦିଆଯ।ଇଥିବା ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଉପଯୋଗ କରିବାକୁ ମନ୍ତ୍ରୀ କହିଥିଲେ। ଏଥିସହିତ ରାଜ୍ୟରେ ଆଉ ୧୦୦ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବା ନେଇ ସୂଚନା ଦେଇଥିଲେ ମନ୍ତ୍ରୀ।
ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଦକ୍ଷ ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ରାଜସ୍ୱ ବ୍ୟବସ୍ଥାର ଆଧୁନିକୀକରଣ ଯୋଗୁଁ ଦୀର୍ଘ ଦିନରୁ ବକେୟା ପଡ଼ିଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ଫଇସଲା ହୋଇପାରିଛି। ରାଜ୍ୟରେ ଶିଳ୍ପ ପ୍ରକଳ୍ପ, ବ୍ୟବସାୟ ଉପଯୋଗୀ ବାତାବରଣ, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ଲୋକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଲାଗି ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ, ଦୀର୍ଘ ଦିନରୁ ଭୂ-ରେକର୍ଡ ସଂଶୋଧନ ହୋଇ ନପାରିବାରୁ ରାଜସ୍ୱ ହାନି ଘଟୁଛି। ରାଜସ୍ୱ ପ୍ରଶାସନକୁ ଅଧିକ ଗୁରୁତ୍ୱ ଦେବା, ଜିଲ୍ଲାରେ ରାଜସ୍ୱ ଅଧିକାରୀମାନଙ୍କୁ ନେଇ ନିୟମିତ ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ସେ ପରାମର୍ଶ ଦେଇଥିଲେ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ୱାର, ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରମୁଖ ଯୋଗଦେଇ ନିଜ ନିଜ ଜିଲ୍ଲାର ରାଜସ୍ୱ ପ୍ରଶାସନ, ରାଜସ୍ୱ ରେକର୍ଡର ଆଧୁନିକୀକରଣ ଏବଂ ଭୂ-ଅଧିଗ୍ରହଣ ସମସ୍ୟା ଓ ସମାଧାନ ଉପରେ ନିଜ ନିଜର ମତ ଉପସ୍ଥାପନ କରିବା ସହ ଏଥିରେ ଆବଶ୍ୟକ ସଂଶୋଧନ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
ସମସ୍ତ ଜିଲ୍ଲାପାଳ ଜମିଜମା ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ନଭେମ୍ବର ଶେଷ ସୁଦ୍ଧା ଦେବା ଲାଗି ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲାପାଳମାନେ ରାଜସ୍ୱ ଆଇନରେ ଆବଶ୍ୟକ ସଂଶୋଧନ ସଂପର୍କିତ ପ୍ରସ୍ତାବ ଆସନ୍ତା ୨୦୨୬ ଫେବ୍ରୁଆରି ମାସ ସୁଦ୍ଧା ରାଜସ୍ୱ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ କହିଛନ୍ତି।
Tags: #CollectorSPConference #OdishaGovt #AdministrativeReform #RevenueRecord #SureshPujari


















