ଓଡ଼ିଶାଲାଇଭ୍ ବ୍ୟୁରୋ

(ନୂଆଦିଲ୍ଲୀ/ଭୁବନେଶ୍ଵର): ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’। ଏହା ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି।

ଚଳିତ ବର୍ଷର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ, ସ୍ଵଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡ଼ିଶାର କୃଷିଜାତ ସାମଗ୍ରୀଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ, ଦେଶ ବିଦେଶର ବଡ଼ବଡ଼ ବ୍ୟବସାୟୀ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ଦୃଷ୍ଟି ଆକର୍ଷଣ କରୁଛି।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏହି ବ୍ୟବସାୟିକ ଅବଧିରେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଓଡ଼ିଶା ପାଭିଲିୟନରେ ଅଂଶଗ୍ରହଣ କରିଥିବା ବରଗଡ଼ର ଗୌମୟ ପେଣ୍ଟସ ଇତିମଧ୍ୟରେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଣ୍ଟସ, ନୂଆଦିଲ୍ଲୀର ଏଏଲ୍ଏମ୍ ଏଣ୍ଟରପ୍ରାଇଜେସ ଓ ଆରକେଜିଡି ଏଣ୍ଟରପ୍ରାଇଜେସ ସହିତ ବ୍ୟବସାୟିକ ଆଲୋଚନା କରିଛି। ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଓଡ଼ିଶାର ତାଳଗୁଡ଼ ସମବାୟ ସଂଘ ଲିମିଟେଡ ସହିତ ବ୍ୟବସାୟିକ ଆଲୋଚନା ହୋଇଛି।

ସେହିପରି ବ୍ରହ୍ମପୁରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ସହିତ ବ୍ୟବସାୟୀକ ଅଲୋଚନା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୃଷି ଉତ୍ପାଦକ ସଂଘର ଷ୍ଟଲ କେରଳ ରାଜ୍ୟ ସହିତ ଏବଂ ଓରମାସ ତରଫରୁ ତୁମ୍ବା ହସ୍ତଶିଳ୍ପକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡ଼ାର ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡକ୍ଟ ସହିତ ବାର୍ତ୍ତାଳାପ କରିଛନ୍ତି।

ଏହା ବ୍ୟତୀତ ସଉରା ଓ ଗଣ୍ଡ ଜନଜାତି ଚିତ୍ରକଳା, କୋରାପୁଟ କଫି ଓ ଜନଜାତି ସମୁଦାୟଙ୍କ ଦ୍ଵାରା ସଂଗୃହୀତ, ଉତ୍ପାଦିତ ସାମଗ୍ରୀର ବେଶ ଚାହିଦା ଦେଖିବାକୁ ମିଳୁଛି। ସେହିପରି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବିଭାଗ ତରଫରୁ ଅଂଶଗ୍ରହଣ କରିଥିବା ଷ୍ଟଲ ସମେତ ଓରମାସ ଓ ମିଶନ ଶକ୍ତି ଆନୁକୂଲ୍ୟରେ ଅଂଶଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ସାମଗ୍ରୀ ମଧ୍ୟ ବାଣିଜ୍ୟ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କର୍ମକର୍ତ୍ତାଙ୍କ ସହିତ ଓଡ଼ିଶା ପାଭିଲିୟନ ବୁଲି ଦେଖିବା ସହ ସାମଗ୍ରୀଗୁଡ଼ିକର ଉତ୍ପାଦନ, ଯୋଗାଣ ଓ ବିତରଣ ସମ୍ପର୍କରେ ଷ୍ଟଲ୍ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ନଭେମ୍ବର ୧୪ ତାରିଖରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଥିଲେ। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନ ସମେତ ଶକ୍ତି ମନ୍ତ୍ରାଳୟ ଏବଂ କୃଷି ଓ କୃଷକକଲ୍ୟାଣ ମନ୍ତ୍ରାଳୟ ପାଭିଲିୟନ ପରିଦର୍ଶନ କରିଥିଲେ।

ବ୍ୟବସାୟିକ ଅବଧିର ବିଭିନ୍ନ ଦିବସରେ ତ୍ରିପୁରାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସନ୍ତନା ଚକମା, ମଣିପୁରର ଅତିରିକ୍ତ ଶାସନ ସଚିବ ଅନୁରାଗ ବାଜପେୟୀ ପ୍ରମୁଖ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିବା ସହ ସେମାନଙ୍କ ବାଣିଜ୍ୟିକ ସମ୍ଭାବନାକୁ ସୁଦୃଢ କରିଛନ୍ତି।

 Tags: #OdishaPavilion #IITF2025 #OdishaMandap #IndiaInternationalTradeFair

Comment