ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଐତିହାସିକ ଦୃଶ୍ୟ। ପ୍ରଥମଥର ପାଇଁ ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
“ମା’ ଟି ମୋର କେଡ଼େ ନିଜର, ତା’ ସରି କିଛି ନାହିଁ। ତା’ ପାଦ ଧୂଳି ଚନ୍ଦନ ଭଳି, ମଥାରେ ଦିଏ ମୁଁ ବୋଳି”, ଏହି କବିତା ପଂକ୍ତିରୁ ଆରମ୍ଭ ହୋଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ।
ରାଷ୍ଟ୍ରପତି କହିଥିଲେ, “ଆଜି ମୋତେ ନିଜ ଘରକୁ ଫେରିଲା ଭଳି ଅନୁଭବ ହେଉଛି। ଦିନେ ବିଧାୟକ ଭାବେ ବିଧାନସଭା ଗୃହକୁ ଆସିବାର ସୌଭାଗ୍ୟ ମିଳୁଥିଲା, ଆଜି ରାଷ୍ଟ୍ରପତି ଭାବେ ଏଠାକୁ ଆସିବା ମୋ ପାଇଁ ଗର୍ବର ବିଷୟ।”
ସେ ଆହୁରି କହିଥିଲେ, ବିଭିନ୍ନ ରାଜ୍ୟ ତଥା ଦେଶକୁ ସମ୍ବୋଧନ କରିବାର ସୁଯୋଗ ମିଳିଛି, ହେଲେ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର କଥା। ଏହି ଅବସର ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଧନ୍ୟବାଦ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅତୀତକୁ ମନେ ପକାଇ ରାଷ୍ଟ୍ରପତି କହିଥିଲେ, “ଗାଁରୁ ସାଧାରଣ ଝିଅଟିଏ ହୋଇ ଏଠାକୁ ଆସିଥିଲି। ପ୍ରଥମେ ବିଧାୟକ ଭାବେ ଏହି ଗୃହରେ ବସିବାର ସୁଯୋଗ ପାଇଥିଲି। ଏହି ଗୃହରେ ବିଧାୟକ ଭାବେ ପ୍ରଶ୍ନ କରିଛି ଏବଂ ମନ୍ତ୍ରୀ ଭାବରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛି। ଅନେକ ବର୍ଷର ବ୍ୟବଧାନ ପରେ ପୁଣି ଏଠାକୁ ଆସିବାକୁ ସୁଯୋଗ ମିଳିଛି। ଅତୀତର ଅନେକ ସ୍ମୃତି ଆଜି ତାଜା ହେଇଯାଉଛି।”
ନିଜ ରାଜନୈତିକ ସଫଳତା ଲାଗି ବିଧାନସଭାକୁ ଶ୍ରେୟ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଦେଶର ସ୍ଵାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ଗଠନ ଦିଗରେ ଓଡ଼ିଶାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାରେ ନାରୀ ଶସକ୍ତିକରଣର ପ୍ରାଚୀନ ପରମ୍ପରା ରହିଆସିଛି। ରମା ଦେବୀ, ସାରଳା ଦେବୀ, କୁନ୍ତଳା କୁମାରୀ ସାବତଙ୍କ ଭଳି ଓଡ଼ିଶାର ଅନେକ ନାରୀ ନେତ୍ରୀଙ୍କର ସ୍ଵାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ରହିଥିଲା। ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ଵର ଦୀର୍ଘ ଇତିହାସ ରହିଆସିଛି।
ସେ କହିଥିଲେ ଓଡ଼ିଶା ପ୍ରଗତି ପଥରେ ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଛି। ଓଡ଼ିଶାରେ ଶିଳ୍ପାୟନ ପ୍ରକ୍ରିୟା ନୂଆ ରୂପ ନେଉଛି। ଓଡ଼ିଶାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ଵାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭାରେ ପ୍ରଥମ ଲାଗି ଉଦବୋଧନ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଗୁରୁବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ରାଜ୍ୟପାଳ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଥିଲେ।
ରାଜଭବନରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ଯାଇଥିଲେ। ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଗୃହରେ ସ୍ଵାଗତ କରି ବିବୃତି ରଖିଥିଲେ। ଓଡ଼ିଶା ବିଧାନସଭା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ବାଚସ୍ପତି କହିଥିଲେ।
ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯୋଗଦାନ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।
ପୂର୍ବରୁ କୌଣସି ରାଷ୍ଟ୍ରପତି ଓଡ଼ିଶା ବିଧାନସଭାରେ ଉଦବୋଧନ ଦେଇନଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ଲାଗି ସମସ୍ତ ବିଧାୟକଙ୍କ ସହ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା।
Tags: #DroupadiMurmu#PresidentOfIndia #OdishaAssembly #Politics















