ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ପହିଲାରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର। ମରାମତି କାମ ପୂର୍ଣ୍ଣ ହୋଇନଥିବାରୁ ଡିସେମ୍ବର ୧ ତାରିଖରୁ ମନ୍ଦିର ଖୋଲିବା ନିଷ୍ପତ୍ତିକୁ ସ୍ଥାଗିତ ରଖାଯାଇଛି।
ଶ୍ରୀଗୁଣ୍ଡିଚା ମନ୍ଦିରର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ଜାରି ରହିଛି। କିଛି ଦିନ ପୂର୍ବରୁ ପରିଚାଳନା କମିଟିର ପରାମର୍ଶ ଅନୁସାରେ ଶ୍ରୀଗୁଣ୍ଡିଚା ମନ୍ଦିରର ଅନୁଧ୍ୟାନ କରାଯାଇଥିଲା। ତେବେ ମନ୍ଦିରର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଲାଗିବ ଜଣାପଡ଼ିଥିଲା। ଏନେଇ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବକୁ ସାମୟିକ ଭାବେ ସ୍ଥାଗିତ ରଖାଯାଇଛି।
ଏହା ସହ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନର ସଫେଇ ଏବଂ ଉନ୍ନତିକରଣ କାମ ବାକି ରହିଛି। ଏଥିପାଇଁ ଅଧିକ ସମୟ ଲାଗିବ। କାମ ସମ୍ପୂର୍ଣ୍ଣ ହେବା ପରେ ମନ୍ଦିର ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Tags: #ShreeGundichaTemple #RepairingWork #Puri #Odisha















