ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଉଦଘାଟିତ ହେଲା ମୟୂରଭଞ୍ଜ ମହୋତ୍ସବ -୨୦୨୫। ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ବିଶେଷ ଅତିଥି ଭାବେ ଏସପି ବରୁଣ ଗୁଣ୍ଟୁପାଲି, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରମୁଖ ଯୋଗ ଦେଇଥିଲେ।
ଏହି ମହୋତ୍ସବ ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, କ୍ରୀଡ଼ା ଏବଂ ପର୍ଯ୍ୟଟନର ବିକାଶ ପାଇଁ ଏକ ଭଲ ପଦକ୍ଷେପ ବୋଲି ଉଦଘାଟନ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ଦେଖିବାକୁ ମିଳିବ ମୟୂରଭଞ୍ଜର କଳା, ସଂସ୍କୃତି, ପରମ୍ପରା, ବେଶଭୂଷା ଓ ଖାଦ୍ୟ ରୁଚିର ଝଲକ।
ପ୍ରାରମ୍ଭରେ ମୟୂରଭଞ୍ଜ ମହୋତ୍ସବ କମିଟିର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଉତ୍ତମ ମହାନ୍ତି ଏବଂ ପରଲୋକଗତ କଳାକାରମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୟୂରଭଞ୍ଜର କଳାକାରଙ୍କ ସମେତ ରାଜ୍ୟର ନାଁକରା କଣ୍ଠଶିଳ୍ପୀ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ।
ମହୋତ୍ସବ କମିଟି ଅଧ୍ୟକ୍ଷ ଅସୀତ ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ କମିଟି ସଭାପତି କୃଷ୍ଣାନନ୍ଦ ମହାନ୍ତି ଓ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
Tags: #MayurbhanjMahotsav2025 #Culture #Mayurbhanj #Odisha

















