ଓଡ଼ିଶାଲାଇଭ୍ ବ୍ୟୁରୋ

ଝିଅ ବାହାଘରକୁ ନେଇ କମିବ ବାପା ମା’ଙ୍କ ଚିନ୍ତା। କାରଣ ଝିଅ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ। ଏହି ଯୋଜନାରେ ଝିଅ ବାହାର ଘର ଲାଗି ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା।

ତେବେ କାହାକୁ ଓ କେମିତି ମିଳିବ ଏହି ସୁବିଧା, ସେ ନେଇ ଆସିଛି ଗାଇଡଲାଇନ। ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ଗାଇଡଲାଇନ ଅନୁସାରେ ଝିର ବୟସ ୧୮ ବର୍ଷରୁ ଅଧିକ ଓ ପୁଅର ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିଲେ ଏହି ସୁବିଧା ମିଳିପାରିବ। ସେହିପରି ବିଧବା ମହିଳାଙ୍କ ପୁନଃ ବିବାହ ପାଇଁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ।

ମୋଟ ସହାୟତା ରାଶି ୫୧ ହଜାର ଟଙ୍କା ମଧ୍ୟରୁ ୩୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। ଏଥିସହ ୧୦ ହଜାର ଟଙ୍କାର ଗିଫ୍ଟ ପ୍ୟାକେଟ ପ୍ରଦାନ କରାଯିବ। ବାକି ୬ ହଜାର ଟଙ୍କା ବିବାହ ସାଜସଜ୍ଜା ପାଇଁ ଦିଆଯିବ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆବେଦନଗୁଡ଼ିକ ଫାଷ୍ଟକମ୍ ଫାଷ୍ଟ ସର୍ଭିସ ଭିତ୍ତିରେ କରାଯିବ। ଯେଉଁ ଜିଲ୍ଲାଗୁଡ଼ିକରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହେବ, ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡ଼ିକୁ ଅଗ୍ରାଧିକାର ମିଳିବ।

ଅନୁସୂଚିତ ଜାତି ଓ ଜନଜାତି, ବିଧବା, ଭିନ୍ନକ୍ଷମ, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ପ୍ରାଥମିକତା ଦିଆଯିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟରେ ଏହି ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

Tags: #MukhyamantriKanyaBibasYojana #MKBY #OdishaGovt

Comment