ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ‘ଟେକ୍ ଇନ ଟୁରିଜିମ- ୨୦୨୫’ କନକ୍ଲେଭ ଆୟୋଜିତ ହୋଇଯାଇଛି। ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ (Retrod) ଏବଂ ଟାଇ (TiE) ଭୁବନେଶ୍ୱରର ମିଳିତ ସହଯୋଗରେ ଏହି କନକ୍ଳେଭର ଆୟୋଜନ କରାଯାଇଥିଲା। ଏହି ଅବସରରେ ହସ୍ପିଟାଲିଟି, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଉଦ୍ୟୋଗ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ।

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ସେ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଏହିଭଳି ମଞ୍ଚ ଉଦ୍ଭାବକ, ଇଣ୍ଡଷ୍ଟ୍ରି ଲିଡର ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକାଠି କରିବାର ଏକ ଉତ୍ତମ ପ୍ଲାଟଫର୍ମ ବୋଲି କହିଥିଲେ।

ଉଦଘାଟନୀ ଅବସରରେ ହୋଟେଲ କ୍ରାଉନ ତଥା ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଏବଂ ରେଟରୋଡର ପ୍ରତିଷ୍ଠାତା ପ୍ରଭାତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଭାତ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପର୍ଯ୍ୟଟନ ଲାଗି ଏକ ପ୍ରଯୁକ୍ତିବିଦ୍ୟା ଚାଳିତ ଇକୋସିଷ୍ଟମ୍ ନିର୍ମାଣ କରିବା ଦିଗରେ ରେଟରୋଡର ଲକ୍ଷ୍ୟକୁ ପୁଣିଥରେ ଦୋହରାଇ ଥିଲେ।

ବିଶିଷ୍ଟ ବକ୍ତାଭାବେ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ସାଂସ୍କୃତିକ ଶକ୍ତି ଏବଂ ହସ୍ପିଟାଲିଟିର ମାନ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ Mall IQ Inc.ର ପରିଚାଳନା ନିର୍ଦ୍ଦେଶକ ନଚିକେତା ଦାସ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ।

କନକ୍ଳେଭରେ ପର୍ଯ୍ୟଟନ ଶିଳ୍ପରେ ଟେକ୍ନୋଲୋଜିର ଗୁରୁତ୍ଵ, ନୂଆ ସମ୍ଭାବନା ଏବଂ ଶିଳ୍ପ ସଂସ୍ଥା ସହଯୋଗର ଆବଶ୍ୟକତା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଆୟୋଜିତ ବିଭିନ୍ନ ଆଲୋଚନାଚକ୍ରରେ ଡକ୍ଟର କାମାକ୍ଷା ଦାସ, ପଙ୍କଜ ମୋଟଓ୍ଵାନୀ, ସତ୍ୟବ୍ରତ ସାନୁ ରଥ, ଡକ୍ଟର ଅଶ୍ଵିନୀ ରଥ, ମାନସ ବେହେରା, ଆଶୁତୋଷ କର, ଅଦିତ ଜେନା ତଥା ପର୍ଯ୍ୟଟନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ପର୍ଯ୍ୟଟନର ବିଭିନ୍ନ ଦିଗ ଏବଂ ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଏହି କନକ୍ଲେଭ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ଟେକ୍ନୋଲୋଜିର ବ୍ୟବହାର, ନୂଆ ସମ୍ଭାବନା ଏବଂ ଡିଜିଟାଲ ରୂପାନ୍ତରଣ ପାଇଁ ନୂତନ ଅବସର ସୃଷ୍ଟି କରିବ ବୋଲି ଅତିଥି ଭାବେ ମତ ପ୍ରକାଶ କରିଥିଲେ।

Tags: #Odisha #OdishaTourism #TechinTourismConclave #TourismDevelopment #TravelTech #RetRod #TiEBhubaneswar

Comment