ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ପୂର୍ବରୁ ସରିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ମଙ୍ଗଳବାର ଥିଲା ଶୀତ ଅଧିବେଶନର ୧୧ତମ କାର୍ଯ୍ୟ ଦିବସ।

ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଥିଲା। ତେବେ ସମସ୍ତ କାର୍ଯ୍ୟ ଦିବସ ପୂର୍ଣ୍ଣ ହେବା ପୂର୍ବରୁ ବିଧାନସଭା ବନ୍ଦ ହୋଇଛି।

ଶୀତ ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଚଳିତ ଶୀତ ଅଧିବେଶନରେ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଥିଲା ଐତିହାସିକ ଦୃଶ୍ୟ। ପ୍ରଥମ ଥର ବିଧାନସଭାରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ନଭେମ୍ବର ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଥିଲା। ଡିସେମ୍ବର ୪ ତାରିଖରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ ବିଲ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରସଂଗରେ ଶାସକ-ବିରୋଧୀ ଗୃହରେ ମୁହାଁମୁହିଁ ହେବାର ଦେଖିବାକୁ ମିଳିଥିଲା। ଏହି ଅଧିବେଶରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ବୃଦ୍ଧି ବିଲ୍ ପାରିତ ହୋଇଛି। ଡିସେମ୍ବର ୯ ତାରିଖ ଗୃହରେ ମାଲକାନଗିରି ଗାଁ ପୋଡ଼ି ପ୍ରସଂଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ।

Tags: #OdishaAssembly #Politics #OdishaPolitics #WinterSession

Comment