ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କର ଜୟନ୍ତୀ ‘ଅଖିଳ ଦିବସ’ ଅବସରରେ ଭୁବନେଶ୍ଵରସ୍ଥିତ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଏକ ସାରସ୍ଵତ ସମାଗମ ଆୟୋଜିତ ହୋଇଯାଇଛି।
ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷର ‘ଶିଖର ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଅସୁସ୍ଥତା କାରଣରୁ ବିଭୂତି ପଟ୍ଟନାୟକ ସମାବେଶରେ ଯୋଗ ଦେଇପାରି ନଥିବାରୁ ଫାଉଣ୍ଡେସନର ଅଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କ ବାସଭବନକୁ ଯାଇ ଏହି ସମ୍ମାନ ପ୍ରଦାନ କରିଥିଲେ।
‘ଅଖିଳ ଦିବସ’ ଅବସରରେ ବିଶିଷ୍ଟ କଥାଶିଳ୍ପୀ ପୁଷ୍ପାଞ୍ଜଳି ନାୟକଙ୍କୁ ଚଳିତ ବର୍ଷର ‘ଅଖିଳ କଥା ସମ୍ମାନ’ (ବରିଷ୍ଠ ବର୍ଗ) ରେ ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ କଥାଶିଳ୍ପୀ ସରୋଜ ବଳଙ୍କୁ (କନିଷ୍ଠ ବର୍ଗ)ରେ ସମ୍ମାନିତ କରାଯାଇଛି।
ସେହିପରି ଜ୍ଞାନଦା ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଦତ୍ତ ‘ଜ୍ଞାନଦା କବିତା ସମ୍ମାନ’ ବିଶିଷ୍ଟ କବି ଅଶ୍ୱିନୀ କୁମାର ମିଶ୍ରଙ୍କୁ (ବରିଷ୍ଠ ବର୍ଗ) ଓ ବିଶିଷ୍ଟ କବି ପ୍ରତୀକ୍ଷା ଜେନାଙ୍କୁ (କନିଷ୍ଠ ବର୍ଗ)ରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ର ଅଖିଳ ଦିବସ ଅଭିଭାଷଣ ପ୍ରଦାନ କରିଥିଲେ। ସମାଗମକୁ ଫାଉଣ୍ଡେସନର ଅଧ୍ୟକ୍ଷ ଅସିତ ମହାନ୍ତି ଉଦଘାଟନ କରିବା ସହ ଏହାର ଉଦ୍ଦେଶ୍ୟ ଏବଂ ଗୁରୁତ୍ଵ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ।
ଚଳିତ ବର୍ଷର ଏହି ଉତ୍ସବକୁ ଉତ୍ସର୍ଗ କରାଯାଇଥିଲା ଫାଉଣ୍ଡେସନର ପୂର୍ବ ଅଧ୍ୟକ୍ଷ ତଥା ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ। ବିଶିଷ୍ଟ କବି ଭାଗୀରଥି ମିଶ୍ର ଓ ଅଶ୍ଵିନୀ କୁମାର ମିଶ୍ର ଦିବଂଗତ କବିଙ୍କର ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର ସତ୍ରରେ କବିଙ୍କ କବିତା ପାଠ କରିଥିଲେ ସୂର୍ଯ୍ୟ ମିଶ୍ର, ମନୁଆ ଦାସ, ଦେବଦତ୍ତ ପତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ସୁମନ ଦାଶ। ଏହି ସତ୍ରର ସଂଯୋଜନା କରିଥିଲେ ଫାଉଣ୍ଡେସନର କର୍ମକର୍ତ୍ତା ତଥା କବି କେଦାର ମିଶ୍ର। ଶେଷରେ ମନ୍ମଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରତି ବର୍ଷ ପ୍ରଖ୍ୟାତ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଜନ୍ମଦିନ ଡିସେମ୍ବର ୧୮ ତାରିଖକୁ ‘ଅଖିଳ ଦିବସ’ ରୂପେ ପାଳନ କରାଯାଏ। ପ୍ରତି ବର୍ଷ ଏହି ଅବସରରେ ଅଖିଳ ମୋହନ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ଜ୍ଞାନଦା ପଟ୍ଟନାୟକଙ୍କ ନାମରେ ନାମିତ ସାହିତ୍ୟ ପୁରସ୍କାର ପ୍ରଦାନ ମୁଖ୍ୟ ଆକର୍ଷଣ ହୋଇଥାଏ।
Tags: #AhilaDibas #AkhilaMohanFoundation #ShikharaSamman #BibhutiPatnaik #Odisha











