ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନର ୫୪ତମ ଜାତୀୟ ଦିବସ ଉତ୍ସବ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ବାହାରିନ ସରକାରଙ୍କ ପକ୍ଷରୁ ଜାତୀୟ ଷ୍ଟାଡିୟମଠାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ ବିଚିତ୍ରା ଆୟୋଜିତ ହୋଇଥିଲା।
ବାହାରିନ ସରକାରଙ୍କ ନିମନ୍ତ୍ରଣ କ୍ରମେ ବାହାରିନ ଓଡ଼ିଆ ସମାଜ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସାଂସ୍କୃତିକ ବିଚିତ୍ରା ଅଂଶଗ୍ରହଣ କରିଥିଲା। ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ଏକ ମନୋଜ୍ଞ ପ୍ରଦର୍ଶନ।
ଏହି ବିଶାଳ ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମା ବିନ ଅହମଦ୍ ଖଲିଫ ଅଲ ଅସଫୁର ଉଦଘାଟନ କରିଥିଲେ। ପ୍ରଥମେ ସେ ଓଡ଼ିଶା ମଣ୍ଡପ ପରିଦର୍ଶନ କରି ପର୍ଯ୍ୟଟନ ସୁବିଧା, ଓଡ଼ିଶାର ପାରମ୍ପରିକ ବସ୍ତ୍ର ଏବଂ ଓଡ଼ିଶା ହସ୍ତଶିଳ୍ପର ପ୍ରଶଂସା କରିଥିଲେ।
ସେହିପରି ନେପାଳ, ଜାପାନ, କୋରିଆ, ରୁଷ, ତୁର୍କୀ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରଦୂତ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ।
ବିଦେଶ ମାଟିରେ ଓଡ଼ିଶାର କଳା ସଂସ୍କୃତି ଏବଂ ସାମଗ୍ରୀର ପ୍ରଚାର ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ।
ଏହି ଅବସରରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ମନ୍ତ୍ରୀ ଏବଂ ସମସ୍ତ ରାଷ୍ଟ୍ରଦୂତଙ୍କୁ ସମ୍ବଲପୁରୀ ଅଙ୍ଗ ବସ୍ତ୍ର ଏବଂ ‘ବାହାରିନ ଉତ୍କଳିକା’ ସ୍ମରଣିକା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ପ୍ରଦର୍ଶନୀରେ ଶତାଧିକ ସଂଗଠନ ଏବଂ ୧୫ଟି ଦେଶ ଅଂଶଗ୍ରହଣ କରିଥିଲେ। ବାହାରିନ ଓଡ଼ିଆ ସମାଜର ପ୍ରଦର୍ଶନୀ ମଣ୍ଡପର ସୁନ୍ଦର ସାଜସଜ୍ଜାକୁ ଅତିଥିମାନେ ପ୍ରଶଂସା କରିଥିଲେ।
Tags: #BahrainInternationalExhibition #BahrainNationalDayCelebration #BahrainOdiaSamaj








