ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୬ ଜାନୁଆରି ମାସରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ଭିତରେ ହିଁ ଠାକୁରଙ୍କ ରତ୍ନ ଅଳଙ୍କାରର ଗଣତି ମଣତି ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ।
ଏଥିନେଇ ଡିସେମ୍ବର ୨୭ ତାରିଖରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଗଣତି ମଣତି ଲାଗି ତାରିଖ ଧାର୍ଯ୍ୟ ହେବା ସହ ଏସଓପି ସଂକ୍ରାନ୍ତରେ ଆଲୋଚନା ହେବ।
କେବେ ରତ୍ନ ଆଳକାରଗୁଡ଼ିକର ଗଣତି ମଣତି କାମ ଆରମ୍ଭ କରାଯିବ ସେଥି ଲାଗି ଦିନ ସ୍ଥିର କରିବାକୁ ମୁକ୍ତି ମଣ୍ଡପ ସହ ପରାମର୍ଶ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଅବଗତ କରାଯିବା ପରେ ସରକାରଙ୍କୁ ଅବଗତ କରାଯିବ। ସରକାରଙ୍କ ଅନୁମୋଦନ ମିଳିବା ପରେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି।
ଜଷ୍ଟିସ ବିଶ୍ଵନାଥ ରଥଙ୍କ ସୂଚନା ଅନୁସାରେ ବର୍ତ୍ତମାନ କେବଳ ରତ୍ନ ଅଳଙ୍କାରମାନର ଗଣତି କରାଯିବ। ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ତାଲିବା ଆଧାରରେ ଏହି ଗଣତି ମଣତି କରାଯିବ। ତେବେ ଏହାର ଆର୍ଥିକ ମୂଲ୍ୟାୟନ କରାଯିବ ନାହିଁ।
ରିଜର୍ଭ ବ୍ୟାଙ୍କର ସ୍ଵତନ୍ତ୍ର ମେସିନ ଏବଂ ଓ ଅଭିଜ୍ଞ ଅଧିକାରୀଙ୍କ ସହଯୋଗ ନେବା ଲାଗି ଯୋଗାଯୋଗ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ।
Tags: #Ratnabhandar #Shreemandir #RatnaBhandarOrnamentCounting #Puri #Odisha








